ଓକିଲଙ୍କୁ ଜଗିବେ ପୋଲିସ! ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ହାଇକୋର୍ଟରେ ମୁତୟନ ହେବେ ୨୦ରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ।

ହାଇକୋର୍ଟ ରେଜିଷ୍ଟ୍ରାର ପୋଲିସ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ । ତେଣୁ ସେହି ଦୃଷ୍ଟିରୁ ପୋଲିସ ଫୋର୍ସ ପଠାଯାଇଥିଲା । ସେହିଭଳି ଜଣେ କନଷ୍ଟେବଳଙ୍କୁ ଅଟକ ରଖାଯାଇ ମାଡ ମରାଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କୋର୍ଟ ପରିସରକୁ ପୋଲିସ ଯାଇଥିଲା ।

118

କନକ ବ୍ୟୁରୋ : ହାଇକୋର୍ଟ ଉପରେ ରହିବ ପୋଲିସର ନଜର । ହାଇକୋର୍ଟ ପରିସରରେ ମୁତୟନ ହେବେ ୨୦ରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ । ପରିସ୍ଥିତି ସ୍ୱାଭାବିକ ନହେବା ଯାଏଁ ହାଇକୋର୍ଟ ପରିସରରେ ରହିବେ ପୋଲିସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟ ରେଜିଷ୍ଟ୍ରାର ପୋଲିସ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ । ତେଣୁ ସେହି ଦୃଷ୍ଟିରୁ ପୋଲିସ ଫୋର୍ସ ପଠାଯାଇଥିଲା । ସେହିଭଳି ଜଣେ କନଷ୍ଟେବଳଙ୍କୁ ଅଟକ ରଖାଯାଇ ମାଡ ମରାଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କୋର୍ଟ ପରିସରକୁ ପୋଲିସ ଯାଇଥିଲା । ସେହିଭଳି ଆଉ ଏକ ସମୟରେ ଜଣେ ସାଧାରଣ ଲୋକ କୋର୍ଟ ପରିସରରେ ଅଟକ ଥିବାକୁ ତାଙ୍କୁ ଉଦ୍ଧାର ପାଇଁ ମଧ୍ୟ ପୋଲିସ ପଂହଚିଥିଲା । ଯେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଠାରେ ପୋଲିସ ପ୍ରବେଶ କରିପାରିବ ବୋଲି ସତ୍ୟଜିତ ମହାନ୍ତି ସ୍ପଷ୍ଟ କରିଛନ୍ତି ।

ଗତକାଲି ଆନ୍ଦୋଳନକୁ ନେଇ ହଇକୋର୍ଟର ଦୁଇ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି, ସିସିଟିଭି ଫୁଟେଜ ଯାଂଚ ଚାଲିଛି । କାଲିର ଘଟଣାର ଲାଲବାଗ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଆଇନଜୀବୀଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଗତକାଲି ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି ।