ସମ୍ବଲପୁର : ପୁଲିସର ବର୍ବରତା, ପିଜିସିଏଲ ବିଦ୍ୟୁତ ତାରଟଣାକୁ ବିରୋଧ କରିବାରୁ ମହିଳାଙ୍କୁ ଜୋତା ଓ ଗୋଇଠା ମାରିଥିବା ଅଭିଯୋଗ

34

କନକ ବ୍ୟୁରୋ : ସମ୍ବଲପୁର ରେଢାଖୋଲରେ ସୀମା ଟପିଛି ପୋଲିସର ଦାଦାଗିର । ପିଜିସିଏଲ ବିଦ୍ୟୁତ୍ ଟଣାକୁ ବିରୋଧ କରିବାରୁ ମହିଳାଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ବିନା କ୍ଷତିପୂରଣରେ ଫସଲ ନଷ୍ଟ କରି ବିଦ୍ୟୁତ ଟଣା ଯାଇଥିଲା । ଏହାର ପ୍ରତିବାଦ କରିବାରୁ ପୁଲିସ ୫୫ ବର୍ଷିୟା ମହିଳା ଧୀର ସାହୁଙ୍କୁ ଜୋତା ଓ ଗୋଇଠା ମାଡ଼ କରିବା ସହିତ ଘୋଷାଡ଼ି ନେଇଯାଇ ଥିଲେ। ତାଙ୍କ ଝିଅ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ବିଧା ଗୋଇଠା ମାରିଥିଲେ । ଏପରିକି ମହିଳାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କ ବେକକୁ ଚିପି କାଦୁଅରେ ଫିଙ୍ଗି ଦିଆଯାଇ ଥିଲା ।

ଏଥିଯୋଗୁଁ ଗୁରୁତର ହୋଇ ପଡ଼ିଥିବା ଧୀରଙ୍କୁ ପ୍ରଥମେ ରେଢାଖୋଲ ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଗାଁର ଅନ୍ୟ ମହିଳାମାନଙ୍କୁ ଘୋଷାଡ଼ି ନିଆଯାଇ ପୁଲିସ ଗାଡ଼ିରେ ବନ୍ଦ କରି ଦିଆଯାଇ ଥିଲା । ତେବେ ଥାନା ଅଧିକାରୀ ରମେଶ ପ୍ରଧାନ ପୁଲିସ ଅତ୍ୟାଚାରକୁ ଅସ୍ୱୀକାର କରିଛନ୍ତି । କୌଣସି ମହିଳାଙ୍କୁ ମାଡ଼ ମରାଯାଇ ନାହିଁ । ଆହତ ମହିଳା ଧୀର ସାହୁ ବାଡ଼ି ଧରି ଦୌଡ଼ୁଥିବାବେଳେ ନିଜେ ପଡ଼ି ଆହତ ହୋଇଛନ୍ତି ବୋଲି କହିଛନ୍ତି ।

ପାଓ୍ଵାର ଗ୍ରିଡ କର୍ପୋରେସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନୁଗୁଳରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୭୬୫ କେଭି ବିଦ୍ୟୁତ ତାର ଟଣାଯାଉଛି । ଏଲଏଣ୍ଡଟି ଠିକାରେ ଚାଲୁଥିବା କାର୍ଯ୍ୟ ପାଇଁ ପୂର୍ବରୁ ଖମ୍ବ ମଧ୍ୟ ପୋତାଯାଇ ଥିଲା । ଗୁରୁବାର ବିନା କ୍ଷତିପୂରଣରେ ଚାଷୀଙ୍କ ଜମି ଉପରେ ଚଢିଯାଇ ତାର ଟଣା ଯାଇଥିଲା । ଏଥିଯୋଗୁଁ ଏକର-ଏକର ଫସଲ ନଷ୍ଟ ହୋଇଥିଲା । ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଘନଶ୍ୟାମ ମୁଣ୍ଡା, ଏସଡିପିଓ ରବିନ୍ଦ୍ର ମଲ୍ଲିକଙ୍କ ସମେତ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ତାର ଟଣା । ଧୀର ସାହୁଙ୍କ ଜମି ଉପରେ କରାଯାଇ ଥିଲା ପ୍ରଥମ ତାର ଟଣା । ବେଉଷଣ ସରି ଯାଇଥିବାରୁ ବର୍ତ୍ତମାନ ତାର ନଟାଣି ଅନ୍ୟ ସମୟରେ ତାର ଟାଣିବାକୁ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ।

ମାତ୍ର କମ୍ପାନି ଏବଂ ପ୍ରଶାସନ ଏ ନେଇ ଦୃଷ୍ଟି ନଦେଇ ତାର ଟଣା ଆରମ୍ଭ କରିବାରୁ ଧୀର ସାହୁ ଏବଂ ପରିବାର ତାର ଟଣା ନଦେବା ପାଇଁ ଅଡ଼ି ବସିଥିଲେ । ଧୀରଙ୍କୁ ହଟାଇବାକୁ ଯାଇ ମହିଳା ପୁଲିସ ତାଙ୍କ ଉପରେ ନିର୍ଧୁମ ପ୍ରହାର କରିଥିଲେ । ତାଙ୍କ ଅଣ୍ଟାରେ ହୋଇଥିଲା ଜୋତା ମାଡ଼। କମ୍ପାନି ସ୍ୱାର୍ଥ ପାଇଁ ଦୀର୍ଘ ସମୟ ଧରି କରାଯାଇଥିଲା ଅତ୍ୟାଚାର । ତାଙ୍କର ଭିନ୍ନକ୍ଷମ ସ୍ୱାମୀ ନକୁଳ ସାହୁ ମଧ୍ୟ ପୁଲିସ ଅତ୍ୟାଚାରରୁ ବର୍ତ୍ତି ପାରିନଥିଲେ । ତାଙ୍କ ବେକକୁ ଚିପି ଦେଇ କାଦୁଅରେ ଫିଙ୍ଗି ଦିଆଯାଇ ଥିଲା । ଝିଅ ମୀତାଞ୍ଜଳି (୨୫) ମାଙ୍କୁ ପୁଲିସ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଚେଷ୍ଟା କଲାବେଳକୁ ମହିଳା ପୁଲିସ ତାଙ୍କୁ ବିଧା ଗୋଇଠା ମାରିଥିଲେ । ଦୁଇ ପୁଅ ଦିଲ୍ଲୀପ ଏବଂ ସମ୍ବିତକୁ ମଧ୍ୟ ପୁଲିସ ଘଟଣାସ୍ଥଳରୁ ଘଉଡ଼ାଇ ଦେଇଥିଲେ । ଗାଁର ୫୦ରୁ ଅଧିକ ମହିଳାଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସେପଟେ ପୁଲିସର ଅତ୍ୟାଚାରକୁ ଅସ୍ୱୀକାର କରିଛନ୍ତି ଥାନା ଅଧିକାରୀ ।