ଭୁବନେଶ୍ୱରରେ ଧରିପଡିଲା ପାଠୁଆ ଚୋର । ଶିକ୍ଷାଗତ ଯୋଗ୍ୟତା ବିବିଏ, କିନ୍ତୁ ପେଶା ଚୋରି କରିବା ।

79

କନକ ବ୍ୟୁରୋ : ପୋଲିସ କବଜାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋର । ମୁଣ୍ଡରେ ହେଲମେଟ ଲଗାଇ ଅତ୍ୟନ୍ତ ଚାଲାକିର ସହ କଳା କନା ବୁଲାଉଥିଲା ଏହି ଚୋର । ଶିକ୍ଷାଗତ ଯୋଗ୍ୟତା ବି କିଛି କମ ନୁହେଁ । ବିବିଏ ପାଠ ପଢିଥିବା ଏହି ଚୋର ଘରୁ ପୋଲିସ ଧରପଗଡ ବେଳେ ଜବତ ହୋଇଛି ୮୦ ଲକ୍ଷ ଟଙ୍କାର ସାମଗ୍ରୀ । ଏହା ଭିତରେ ରହିଛି ସୁନା ଗହଣା ଓ ନାମିଦାମି ମୋବାଇଲ । ବାରମ୍ବାର ପୋଲିସକୁ ଚକମା ଦେଉଥିବା ଏହି ଚୋର କଳା କାରନାମା ଶେଷରେ ଧରାପଡିଛି ।

ଚନ୍ଦ୍ରଶେଖରପୁର ଥାନା ପୁଲିସର ରିକଭରି ରୁମର ଦୃଶ୍ୟ ଆପଣଙ୍କୁ ତାଜୁବ କରିବ । କାରଣ ତିସମାର ଖାନ୍ ଭଳି ଚୋରି କରୁଥିବା ଯୁବକଙ୍କୁ ଧରିଛି ପୋଲିସ । ଆଉ ଚୋର ଠାରୁ ଜବତ ହୋଇଛି ୮୦ ଲକ୍ଷର ସାମଗ୍ରୀ । ୪୦ ଲକ୍ଷ ଟଙ୍କାର ସୁନା ରୁପା ଗହଣା, ୨୬ଟି ଲାପଟପ୍, ୪୩ଟି ମୋବାଇଲ ଫୋନ୍ , ୨୭ଟି ଘଂଟା , ଚଷମା, ଏଲଇଡି ଟିଭି । ଏମିତି କେତେ କଣ । ୬ଫୁଟ ଉଚ୍ଚର ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଚୋର ସଂଜୟ କୁମାର ନିସାଂକ । ଏହି ସ୍ମାର୍ଟ ଚୋରକୁ ଧରିବା ପାଇଁ ନାକରେ ପାଣି ପିଇଥିଲା କମିଶନରେଟ ପୁଲିସ ।

ସିସିଟିଭି ଫୁଟେଜରେ ରହିଛି ସ୍ମାର୍ଟ ଚୋରର ଚିତ୍ର । ବିବିଏ ପଢୁଆ ଏହି ସ୍ମାର୍ଟ ଚୋରର ଅପରେସନ ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହେବ । କଣ ଥିଲା ତାର ଚୋରି କରିବାର ତରିକା । ପ୍ରଥମେ କେଉଁ ଘରେ ଚୋରି ହେବ ତାର ରୋଡ ମ୍ୟାପ ବନାଉଥିଲା । କେହି ନଥିବା ସୁଯୋଗ ନେଇ ମୁଣ୍ଡରେ ହେଲମେଟ ପିନ୍ଧି ଘରେ ପଶୁଥିଲା । ଆଉ କଳାକନା ବୁଲାଇସାରିବା ପରେ ତଦନ୍ତକୁ ଦିଗହରା କରିବା ପାଇଁ ସିଢିର ପାହାଚରେ ସାନିଟାରୀ ନ୍ୟାପକିନ୍ ଫୋପାଡି ଯାଉଥିଲା । ଧରା ନପଡିବା ପାଇଁ ମୁଣ୍ଡରେ ଲଗାଉଥିଲା ହେଲମେଟ୍ । ହେଲମେଟର ଫଟୋ ଧରି ଏହି ସ୍ମାର୍ଟ ଚୋରକୁ ଖୋଜୁଥିଲା ପୁଲିସ । ଦେଢମାସର ଲୁଚକାଳି ପରେ ଶେଷରେ ଚୋରକୁ ଧରିଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ଆଉ ପୋଲିସକୁ ଚୋର ପାଖରେ ପହଂଚାଇଥିଲା ଏହି ହେଲମେଟ ।

ଚୋର ମାନେ ବିଶେଷ କରି ରାତିରେ ଚୋରି କରୁଥିବା ବେଳେ, ଏହି ସ୍ମାର୍ଟ ଚୋର ଦିନ ବେଳା ଏବଂ ସଂଧ୍ୟା ସମୟରେ ଚୋରି କରୁଥିଲା । ଏହାର ଟାର୍ଗେଟରେ ଥିଲା ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲା । ଏହି ଚୋର ଜଣଙ୍କ ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଥାନା ଅଧିନରେ ୧୫ରୁ ଅଧିକ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ମାମଲା ରହିଛି ।