ଗିରଫ ହେଲା ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ : ବାରମ୍ବାର ଜେରା ପରେ ମୁଖ୍ୟ ସହଯୋଗୀ ବାପୁ ପରିଡାକୁ ଗିରଫ କଲା ଏସଟିଏଫ

67

କନକ ବ୍ୟୁରୋ: ଗିରଫ ହେଲା ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ । ମୁଖ୍ୟ ସହଯୋଗୀ ବାପୁ ପରିଡାକୁ ଏସଟିଏଫ ଆଜି ଗିରଫ କରିଛି । ଟିଟୋ ଲିଙ୍କରେ ବାପୁ ପରିଡାକୁ ବାରମ୍ବାର ଏସଟିଏଫ ଜେରା କରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ବାପୁ ନାଁରେ ମୋଟ ୨୮ଟି ମାମଲା ରହିଛି । ବିଶେଷ କରି ଟିଟୋର ପାରାଦୀପ ଏମ୍ପାୟାରକୁ ଜଗୁଥିଲା ବାପୁ । ଟିଟୋ ପାଇଁ ହତ୍ୟା , ହତ୍ୟା ଉଦ୍ୟମ, ଗୁଳିମାଡ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ଡକାୟତି, ବନ୍ଧୁକ ମୁନରେ ଦାଦାବଟି ଆଦାୟ ଓ ଅପହରଣ ଭଳି ସାଂଘାତିକ ମାମଲାରେ ସଂପୃକ୍ତ ଥିବା ନେଇ ଏସଟିଏଫ ସ୍ପଷ୍ଟ କରିଛି । ତା ନାଁରେ ୩୮୭, ୫୦୬, ଓ ୧୨୦(ବି), ୩୪, ୨୫ ଓ ୨୭ ଦଫା ଲାଗିଛି । କୁଜଙ୍ଗ ଥାନାରେ ୨ଟି, ଚାଉଳିଆଗଂଜରେ ଗୋଟିଏ ଏବଂ ପାରାଦୀପରେ ଏକାଧିକ ମାମଲା ରହିଛି ।

ଡମ୍ପର ଆସୋସିଏସନର ସଭାପତି ବାପୁ ପରିଡ଼ା ନାଁରେ ବିଭିନ୍ନ ଥାନାରେ ହତ୍ୟା, ଅପହରଣ ଓ ଦାଦାବଟି ନେଇ ଅଭିଯୋଗ ଥିଲା। ବାପୁ ପରିଡ଼ା ଏକ ହତ୍ୟା ମାମଲାରେ ସଂପୃକ୍ତ ହୋଇ ପୂର୍ବରୁ ଜେଲ ଯାଇଥିଲା। ଦୀର୍ଘ ୪-୫ ବର୍ଷ ଜେଲରେ ରହିବା ପରେ ଜାମିନରେ ଆସିଥିଲା। ଟିଟୋ ଲିଙ୍କରେ ସଂପୃକ୍ତ ଥିବା ସନ୍ଦେହରେ ଏସଟିଏଫ ପୁଲିସ ବାପୁକୁ ପୂର୍ବରୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା ଓ ପରେ ଛାଡ଼ି ଦେଇଥିଲା। ସନ୍ଦେହ ମଜବୁତ ହେବା ପୁଲିସ ବାପୁ ପରିଡ଼ାକୁ ଗିରଫ କରିଛି।