ମାରି ଦେଉଛି ବିଷଫଳ ! ଅଜଣା ଏନସେଫାଲାଇଟିସକୁ ନେଇ ତନାଘନା

32

ମାଲକାନଗିରି : ୧୦୮ରେ ପହଁଚିଛି ଜାପାନୀ ଜ୍ୱରରେ ବେସରକାରୀ ମୃତ୍ୟୁ ସଂଖ୍ୟା । ସରକାରୀ ଭାବେ ଏହି ସଂଖ୍ୟା ୯୦ । ଏହାଭିତରୁ ୩୦ଜଣ ଜାପାନୀଜ୍ ଏସସେଫାଲାଇଟିସରେ ପ୍ରାଣ ହରାଇଥିବା ବେଳେ ୬୦ ଜଣ ଏଇଏସ୍ ବା ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡୋମରେ ପ୍ରାଣ ହରାଇଥିବା ସରକାର କହୁଛନ୍ତି । ତେବେ କଣ ଏହି ମାରାତ୍ମକ ଏଇଏସ୍ । ଏନେଇ ଗବେଷଣା ଚାଲିଥିବା ବେଳେ କନକ ନ୍ୟୁଜରେ ହସ୍ତଗତ ହୋଇଛି ସାଂଘାତିକ ତଥ୍ୟ । କୁହାଯାଉଛି, ବଡଚାକୁଣ୍ଡା ଗଛର ଫଳ ଖାଇ ପିଲାମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଯାହା ଏବେ ମୃତ୍ୟୁର କାରଣ ଖୋଜୁଥିବା ଗବେଷକଙ୍କ ପାଇଁ ଗବେଷଣାର ମୁଖ୍ୟ ଦିଗ ପାଲଟିଛି ।

କାଶୀପୁରର ଆମ୍ବଟାକୁଆ ପରେ ମାଲକାନଗିରିର ବଡଚାକୁଣ୍ଡା ଫଳ । ବର୍ଷା ଆସିଲେ ଗାଁ, ସହର ଓ ବଣମୂଲକ । ସବୁଠି ମାଡି ଯାଏ ଏହି ବଡଚାକୁଣ୍ଡା ଗଛ । ଆଉ ମାସକ ମଧ୍ୟରେ ଫଳଧରେ ଏହି ଗଛରେ । ଆଦିବାସୀର ଅଭାବ ହେଉ କି ବିଶ୍ୱାସ । ବଡଚାକୁଣ୍ଡା ଫଲକୁ ପୋଡି ଆସିବାସୀ ପିଲା ଖାଆନ୍ତି, ଅତି ଶ୍ରଦ୍ଧାରେ । କୁହାଯାଏ, ଏଥିରେ ପେଟରୋଗ ଭଲ ହେବ ଓ କୃମି ମରିବ । ଏପରିକି ଏହି ଗଛରେ ଚେର ଖାଇଲେ, ରକ୍ତହୀନତା ମଧ୍ୟ ଦୂର ହେବ ।

ତେବେ ଏହି ବଡଚାକୁଣ୍ଡାର ସୁଆଦିଆ ଫଳ ସାଜିନି ତ ବିଷ । ସୃଷ୍ଟି କରୁନି ତ ଅଜଣା ରୋଗ । ମାରି ଦେଉନି ତ କଅଁଳା ପିଲାଙ୍କୁ । କାରଣ ସରକାରଙ୍କ ଦାବି ୬୦ ପିଲାଙ୍କ ଜୀବନ ନେଇଛି ଅକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ । ଆଉ ଏହି ଏଇସ୍ ପାଇଁ ବଡଚାକୁଣ୍ଡା ଫଳ ଆସିଛି ସନ୍ଦେହ ଭିତରକୁ । ତେଣୁ ମୃତ୍ୟୁର କାରଣ ଖୋଜିବାକୁ ପର୍ଯ୍ୟାୟକ୍ରମେ କେନ୍ଦ୍ର ଓ ରାଜ୍ୟରୁ ଆସିଥିବା ଗବେଷକ ଏହି ବଡଚାକୁଣ୍ଡାର ମାରାତ୍ମକ ଦିଗକୁ ନେଇ ଗବେଷଣା କରୁଛନ୍ତି ।ଏଥିପାଇଁ ଏହି ଫଳର ନମୁନାକୁ ପୁନେ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ମନିପାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇକ୍ରୋବାୟୋଲୋଜି ବିଭାଗକୁ ପଠାଯାଇଛି । ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଘୁଷୁରୀ, ମଶା ଓ ମଣିଷ । ମାରାତ୍ମକ ଜାପାନୀ ଜ୍ୱରକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ତେବେ ଏହି ଅଜଣା ଏନସେଫାଲାଇଟିସ୍ ଉପରୁ ପରଦା ହଟିବ ଆସନ୍ତା ୧୮ ତାରିଖରେ । କାରଣ ଏନେଇ ଭୁବନେଶ୍ୱରରେ ରିପୋର୍ଟ ଦେବେ ଗବେଷଣାର ନେତୃତ୍ୱ ନେଉଥିବା ଗବେଷକ ପ୍ରଫେସର ଇ. ଜାକୋବ ଜେମସ ।