ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଅରଗୁଳରୁ କରିବେ ୧୪ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ଖୋର୍ଦ୍ଧାରେ କରିବେ ସାଧାରଣ ସଭା

ତିନୋଟି ରାଜ୍ୟରେ ପରାଜୟ ପରେ ମୋଦିଙ୍କ ଆଭିମୁଖ୍ୟ ଉପରେ ନଜର

129

କନକ ବ୍ୟୁରା : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ଏଭଳି ସ୍ଥିତିରେ କ’ଣ କହିବେ ମୋଦି? ତାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଓଡ଼ିଶାରେ କ’ଣ କହିବେ ମୋଦି? କ’ଣ ରହିବ ବିଜେପିର ଆଭିମୁଖ୍ୟ ଏସବୁ ଉପରେ ନଜର ଅଟକିଛି । ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି ଏସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ଅରଗୁଳରୁ ୧୪ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଖୋର୍ଦ୍ଧାରେ ଜନସଭା, ଆଇଆଇଟି ଏବଂ ନାଇଜର କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି ।

modi-govt-mega-apprenticeship-programme-will-provide-10-lakh-jobs
image courtesy-http://zeenews.india.com

ସେପଟେ ମୋଦିଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱର ଆକାଶ ହେବ ନୋ-ଫ୍ଲାଇଙ୍ଗ୍ ଜୋନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବାର ଏକ ଘଂଟା ପୂର୍ବରୁ କୌଣସି ଘରୋଇ ବିମାନକୁ ଭୁବନେଶ୍ୱର ଓହ୍ଲାଇ ଦିଆଯିବ ନାହିଁ କିମ୍ବା ଏଠାରୁ କୌଣସି ବିମାନ ରାଜ୍ୟ ବାହାରକୁ ଯାଇପାରିବ ନାହିଁ । ସେହିପରି କେହି ବି ବିମାନବନ୍ଦର, ଜଟଣୀ ଅରଗୁଳ ଓ ଖୋର୍ଦ୍ଧାସ୍ଥଳ ପାଖାପାଖି ଡ୍ରୋନ ଉଡାଇ ପାରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଏସପିଜି ପକ୍ଷରୁ ଏଭଳି କଡା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଛଡା ପ୍ରଧାନମନ୍ତ୍ରୀ ଆସିବାର ୪ଘଂଟା ପୂର୍ବରୁ ଦିଲ୍ଲୀରୁ ଭୁବନେଶ୍ୱର ସମେତ ପଡୋଶୀ ରାଜ୍ୟର ଆକାଶ ସୀମା ଉପରେ ବାୟୁସେନା ପକ୍ଷରୁ କଡା ନଜର ରଖାଯିବ ।

ଏନେଇ ବାୟୁସେନା ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରୀତିମତ ଏସପିଜି ସହ ଯୋଗାଯୋଗ କରୁଛନ୍ତି । ସେହିପରି ପୁଲିସ ଡିଜି ଆରପି ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ବିମାନବନ୍ଦର, ଜଟଣୀ ଅରଗୁଳ, ଖୋର୍ଦ୍ଧାରେ ବରୁଣେଇରେ ୩ଜଣ ଏସପିଜି ଆଇଜି ରହିବେ । ପ୍ରଧାନମନ୍ତ୍ରୀଙ୍କ ରୁଟ୍ ଲାଇନରେ ମଧ୍ୟ ଜଣେ ଏସପିଜି ଆଇଜି ରହିବେ । ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ବାହ୍ୟ ସୁରକ୍ଷା ଦେବା ପାଇଁ କମିଶନରେଟ୍ ପୁଲିସ ଛଡା ୨କମ୍ପାନୀ ସଶସ୍ତ୍ର ସିଆରପିଏଫ୍, ୫ୟୁନିଟ-ଏସଓଜି ଏବଂ ଓସାଫ ଯବାନ ପ୍ରସ୍ତୁତ ରହିବେ । ପାଖାପାଖି ୭ଜଣ ବଛାବଛା ଆଇପିଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ହୋଇଛି ।