ହଷ୍ଟନରେ ତୈଳ କମ୍ପାନୀ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ୫ ମିଲିୟନ ଟନର ଗ୍ୟାସ ଆମଦାନି ପାଇଁ କଲେ ଚୁକ୍ତି ସ୍ୱାକ୍ଷର

ଶିଖ୍ ଓ କାଶ୍ମୀର ପଣ୍ଡିତଙ୍କୁ ବି ଭେଟିଲେ ନରେନ୍ଦ୍ର ମୋଦି

154

କନକ ବ୍ୟୁରୋ: ଆମେରିକା ଗସ୍ତରେ ମୋଦି । ଆଜି ହଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦି ସିଇଓ ମାନଙ୍କ ସହିତ ବୈଠକ କରିଛନ୍ତି । ହଷ୍ଟନର ପୋଷ୍ଟ ଓକ୍ ହୋଟେଲରେ ତୈଳ କମ୍ପାନୀ ସିଇଓଙ୍କ ସହିତ ମୋଦି ଏହି ବୈଠକ କରିଛନ୍ତି । ଏହି ବୈଠକରେ ଏଲଏନଜି ବା ତରଳ ପ୍ରାକୃତିକ ଗ୍ୟାସକୁ ନେଇ ତୈଳ କମ୍ପାନୀ ସିଇଓଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ମୋଦି । ବୈଠକ ପରେ ମୋଦି ତୈଳ କମ୍ପାନୀ ସିଇଓଙ୍କ ସହିତ ମିଳିତ ଫଟୋ ସେସନରେ ଫଟୋ ଉଠାଇଥିଲେ ।

ହଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ଥିବା ଶିଖ୍ କମ୍ୟୁନିଟିଙ୍କୁ ବି ସାକ୍ଷାତ କରିଛନ୍ତି । ହାଓଡି ମୋଦି କାର୍ଯ୍ୟକ୍ରମ ଆଗରୁ ଆମେରିକାରେ ରହୁଥିବା ଶିଖ୍ କମ୍ୟୁନିଟିଙ୍କୁ ଭେଟିବା ସହିତ ସେମାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ । ଏହି ଅବସରରେ ଭାରତ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ଗହଣରେ ପାଇ ବେଶ୍ ଖୁସି ଜାହିର କରିଥିଲେ ଶିଖ୍ କମ୍ୟୁନିଟି । ସାକ୍ଷାତ ଅବସରରେ ମୋଦିଙ୍କ ସହ ସମସ୍ତେ ଫଟୋ ଉଠାଇଥିଲେ ।

ହଷ୍ଟନରେ ବ୍ୟସ୍ତ ବହୁଳ ରହିଛି ମୋଦିଙ୍କ କାର୍ଯ୍ୟକ୍ରମ । ତୈଳ କମ୍ପାନୀ ସିଇଓଙ୍କୁ ଭେଟିବା ପରେ ମୋଦି ବିଭିନ୍ନ ସମ୍ପ୍ରଦାୟଙ୍କୁ ଭେଟିଛନ୍ତି । ଏହି କ୍ରମରେ ଆମେରିକାରେ ରହୁଥିବା କାଶ୍ମୀର ପଣ୍ଡିତଙ୍କୁ ଭେଟିଥିଲେ ମୋଦି । କାଶ୍ମୀରରେ ଅତ୍ୟାଚାର ପରେ ଏହି କାଶ୍ମୀର ପଣ୍ଡିତ ଭାରତ ଛାଡି ବିଦେଶରେ ରହୁଛନ୍ତି । ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେମାନେ ବିଦେଶରେ ଥିଲେ ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି । ହଷ୍ଟନରେ କାଶ୍ମୀର ପଣ୍ଡିତଙ୍କ ସହ ଆଲୋଚନା ସମୟରେ ସେମାନଙ୍କର ସମସ୍ୟା ଗୁଡିକୁ ମୋଦି ଶୁଣିବା ସହ ସମାଧାନ ନେଇ ଆଶ୍ୱାସନା ଦେଇଥିଲେ ।