ପ୍ରଣବ ମୁଖାର୍ଜୀଙ୍କ ପାଇଁ ଆଜି ରାତ୍ରୀଭୋଜନର ବ୍ୟବସ୍ଥା କରିଛନ୍ତି ମୋଦି ! ସାମିଲ ହୋଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

33

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଆସନ୍ତା ୨୪ ତାରିଖରେ ସେ ଅବସର ଗ୍ରହଣ କରିବେ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ରାତ୍ରୀଭୋଜନରେ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାତ୍ରିଭୋଜନରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହୋଇପାରନ୍ତି । ଏଥିରେ ଦାୟିତ୍ୱ ନେବାକୁ ଥିବା ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୋଦି କ୍ୟାବିନେଟର ମନ୍ତ୍ରୀ ସାମିଲ ହେବେ ।

କୁହାଯାଉଛି,ରାତ୍ରୀଭୋଜନରେ ସାମିଲ ହେବାରେ ନୀତିଶ କୁମାର ହେବେ ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ । ଏହାପରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିବା ସମ୍ଭାବନା ରହିଛି । କୁହାଯାଉଛି, ୨୫ ତାରିଖରେ ରାମନାଥ କୋବିନ୍ଦଙ୍କ ଶପଥ ଗ୍ରହଣ ସମାରୋହରେ ବି ନୀତିଶ ସାମିଲ ହୋଇପାରନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନୀତିଶ କୁମାର ସମର୍ଥନ କରିଥିଲେ । ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ-ଲାଲୁ ଯାଦବଙ୍କ ଆରଜେଡି ମେଂଟ କରି ସରକାର ଚଳାଉଛନ୍ତି ।

ଏଥିରେ କଂଗ୍ରେସ ବି ସାମିଲ ହୋଇଛି । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗକୁ ନେଇ ମେଂଟରେ ଫାଟ ସୃଷ୍ଟି ହୋଇଛି । ଏଭଳି ସ୍ଥଳରେ ନୀତିଶଙ୍କ ଆଜି ଡିନରରେ ଯୋଗଦାନ ବିଜେପି ସହିତ ତାଙ୍କର ବଢୁଥିବା ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା କରିବା ସ୍ପଷ୍ଟ ହୋଇଛି । ଆଜିର ରାତ୍ରୀଭୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହେବେ ।