ନବୀନଙ୍କୁ ଫୋନ କଲେ ମୋଦି । ସମର୍ଥନ ପାଇଁ ଜଣାଇଲେ ଧନ୍ୟବାଦ

31

କନକ ବ୍ୟୁରୋ: ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟେଲିଫୋନ ଯୋଗେ ଧନ୍ୟବାଦ ଜଣାଇଛନ୍ତି ଉଭୟ । ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହେବାରେ ସମର୍ଥନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ । ନବୀନଙ୍କ ଏହି ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି ।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କୁ ଅନୁରୋଧ କରିଥିଲେ । ଏବଂ ନିର୍ବାଚନ ପୂର୍ବଦିନ ହିଁ ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଭେଟି ସମର୍ଥନ ଲୋଡିଥିଲେ । ତେବେ ଏହାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଆଭିମୂଖ୍ୟ ଝୁଲାଇ ରଖିଥିଲେ । ଠିକ୍ ନିର୍ବାଚନ ପୂର୍ବ ଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରୁ ଫେରି ନିର୍ବାଚନର ଘଡିସନ୍ଧି ମୂହୁର୍ତ୍ତରେ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ ।

ଶେଷରେ ନବୀନଙ୍କ ଆଭିମୂଖ୍ୟ ସ୍ପଷ୍ଟ ହେବାପରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଚାଣକ୍ୟ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଭିନନ୍ଦନ ଶୁଭେଚ୍ଛାରେ ନବୀନଙ୍କୁ ପୋତି ଦେଇଛନ୍ତି ।