ପିଏମ୍ କିଷାନ ଯୋଜନା: କାହାକୁ ମିଳିବ, କାହାକୁ ନୁହେଁ? ଜାଣନ୍ତୁ କେଉଁଠି ଓ କିଭଳି କରିବେ ରେଜିଷ୍ଟ୍ରେସନ

756

ସାରା ଦେଶରେ ଆରମ୍ଭ ହୋଇସାରିଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ତେବେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଏହି କୃଷି ଯୋଜନାରେ କେଉଁ କେଉଁ ଚାଷୀଙ୍କୁ ଫାଇଦା ମିଳିବ ଏବଂ କିଭଳି ଭାବରେ ଏହି ଟଙ୍କା ଚାଷୀଙ୍କୁ ଦିଆଯିବ ..

ଚାଷୀଙ୍କୁ ଏହି ଟଙ୍କା କିସ୍ତି ଆକାରରେ ଦିଆଯିବ । ଯାହାର ପ୍ରଥମ କିସ୍ତିର ଶୁଭାରମ୍ଭ ନିର୍ବାଚନର କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ନରେନ୍ଦ୍ର ମୋଦି କରିଥିବା ବେଳେ ତିନୋଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ । ପିଏମ କିଷାନ ଯୋଜନା ଅନୁସାରେ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ତେବେ ଏହି ଯୋଜନାର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ବୟନ କରିବେ । ମାତ୍ର ଏହି ଯୋଜନାରେ ଭୂମିହୀନ ଏବଂ ଭାଗଚାଷୀଙ୍କୁ ସାମିଲ କରାଯାଇ ନାହିଁ । ପିଏମ କିଷାନ ସମ୍ମାନ ଯୋଜନାର ଏକମାତ୍ର ଉଦ୍ଦେଶ୍ୟ ହେଲା, ଚାଷୀ ଭାଇବନ୍ଧୁମାନେ ବିନା କୌଣସି ବାଧାରେ ଫସଲ ପାଇଁ ମଂଜି, କୃଷି ଉପକରଣ ଆଦି ଆବଶ୍ୟକତା ଜିନିଷ କିଣିପାରିବେ ।

କାହାକୁ ମିଳିବନି ଏହି ଯୋଜନାର ଲାଭ ?

ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ , ଚାକିରିଆ, ପଂଜିକୃତ ଚିକତ୍ସକ, ଇଂଜିନିୟର, ଓକିଲ , ଚାଟାର୍ଡ ଆକାଉଂଟାଂଟ ଏବଂ ବାସ୍ତୁକାର ଓ ସେମାନଙ୍କର ପରିବାର ଲୋକଙ୍କୁ ବି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ସେହିଭଳି ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ବି ଏହି ଯୋଜନାରେ ବାଦ୍ ଦିଆଯାଇଛି । ଏଠାରେ ଆମେ କହି ରଖୁଛୁ କି, ପ୍ରଥମ କିସ୍ତିରେ ଚାଷୀଙ୍କ ଆଧାର ନମ୍ବର ହେବା ଜରୁରୀ ନୁହେଁ , କିନ୍ତୁ ଦ୍ୱିତୀୟ କିସ୍ତି ସେହି ସମସ୍ତ ଚାଷୀଙ୍କୁ ଦିଆଯିବ , ଯେଉଁମାନଙ୍କ ନିକଟରେ ଆଧାର କାର୍ଡ ଥିବ ।

କେଉଁମାନେ ଉଠାଇପାରିବେ ଏହି ଯୋଜନାର ଲାଭ ?

ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଯିବ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ମିଳିବ ଏହି ସହାୟତା । ପ୍ରଥମ କିସ୍ତିରେ ତୁରନ୍ତ ଦିଆଯିବ ୨ହଜାର ଟଙ୍କା । ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଏହି ଟଙ୍କା ମିଳିବ । ୧୨କୋଟି କୃଷକ ପରିବାର ଏଥିରୁ ସିଧା ଲାଭ ପାଇବେ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ବାର୍ଷିକ ୭୫ହଜାର କୋଟି ଟଙ୍କା ।

କେଉଁଠି କରିବେ ରେଜିଷ୍ଟ୍ରେସନ ?

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କୃଷି ବିଭାଗରେ ରେଜିଷ୍ଟ୍ରେସନ କରିବାକୁ ହେବ । ପ୍ରଶାସନ ତାର ଭେରିଫିକେସନ କରିବ । ଏଥିପାଇଁ ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ଥିବା ଦରକାର । ଏହାପରେ ଯାଇ ଚାଷୀ ପରିବାରଙ୍କୁ ଏହାର ଯୋଗ୍ୟ ହିତାଧିକାରୀ ଭାବେ ସାମିଲ କରାଯିବ ।