କେରଳରେ ନର୍ସ ରାଜାମ୍ମାଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଜନ୍ମ ସମୟରେ ମେଡିକାଲରେ ଥିଲେ ଉପସ୍ଥିତ

486

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ସବୁବେଳେ ବିଜେପି ପ୍ରଶ୍ନ ଉଠାଇ ଆସୁଥିବା ବେଳେ ଆଜି କେରଳରୁ ଆସିଛି ଏକ ଚିତ୍ର ଯାହା, ହୁଏତ ଏହି ସମସ୍ତ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଦେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା କେରଳ ନର୍ସଙ୍କ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ କେରଳ କୋଜିକୋଡରେ ଭେଟିଛନ୍ତି ରାହୁଲ ଗାନ୍ଧୀ ।

ସୂଚନା ଅନୁସାରେ ରାହୁଲ ଗାନ୍ଧୀ ୧୯୭୦ ମସିହା ଜୁନ୍ ୧୭ ତାରିଖରେ ଦିଲ୍ଲୀର ହୋଲି କ୍ରସ୍ ଫ୍ୟାମିଲି ହସ୍ପିଟାଲରେ ଜନ୍ମ ହୋଇଥିଲେ । ଏହି ସମୟରେ କେରଳ ନର୍ସ, ରାଜାମ୍ମା ହସ୍ପିଟାଲରେ ଉପସ୍ଥିତ ଥିଲେ । ଏମିତିକି ନବଜାତ ରାହୁଲଙ୍କୁ କାଖେଇଥିଲେ । ରାଜାମ୍ମାଙ୍କ ପୁରା ନାଁ ରାଜମ୍ମା ୱାବଥିଲ୍, ଯାହାଙ୍କ ବର୍ତ୍ତମାନ ବୟସ ୭୦ ବର୍ଷ । ଚାକିରିରୁ ରାଜାମ୍ମା ଏବେ ଅବସର ନେଇ ସାରିଛନ୍ତି । ରାହୁଲ ଗାନ୍ଧୀ ଏବେ କେରଳ ଗସ୍ତରେ ଥିବା ବେଳେ ରାଜାମ୍ମାଙ୍କୁ ଭେଟିଛନ୍ତି । କୋଜିକୋଡରେ ଭେଟିବା ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲେ ।

ରାହୁଲ ଗାନ୍ଧୀ ରାଜାମ୍ମାଙ୍କୁ ଖୁସିରେ କୁଣ୍ଡେଇ ପକାଇଥିଲେ । ଏହି ଭାବବିହ୍ୱଳ ମୁହୁର୍ତର ଚିତ୍ର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହି ଦେଖାସାକ୍ଷତ ପରେ ରାଜାମ୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି- ରାହୁଲ ଜନ୍ମ ହେବା ପରେ ତାଙ୍କୁ ମୁଁ କାଖେଇଥିଲି । ରାହୁଲଙ୍କ ଜନ୍ମର ମୁଁ ନିଜେ ସାକ୍ଷୀ । ଇନ୍ଧୀରା ଗାନ୍ଧୀଙ୍କ ନାତିଙ୍କୁ ଦେଖିବା ପାଇଁ ଆମେ ସମସ୍ତେ ସେ ସମୟରେ ଉତ୍ସାହିତ ଥିଲୁ ।