ଆଜିଠାରୁ ଓଡିଶାରେ ବ୍ୟାନ୍ ହେବ ପ୍ଲାଷ୍ଟିକ୍! ଜାଣନ୍ତୁ କେଉଁଥିରେ ଲାଗିବ ରୋକ ଏବଂ କେଉଁଥିରେ ନାହିଁ,କ’ଣ ଧରିଲେ ଲାଗିବ ଜରିମାନା ।
ଦେଶରେ ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଆଜିଠାରୁ ଓଡ଼ିଶାରେ ବ୍ୟାନ ହେବ ପ୍ଲାଷ୍ଟିକ। ବନ୍ଦ ହେବ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର । ତେବେ ପ୍ରଥମ ପର୍ୟ୍ୟାୟରେ ୫ଟି ମହାନଗର ନିଗମ-ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ୟ୍ୟଟନ କ୍ଷେତ୍ର ପୁରୀରେ କଡାକଡି ଭାବେ ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ଡ୍ରାଫ୍ଟ ନିର୍ଦ୍ଦେଶନାମା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ଲାଷ୍ଟିକ ବିକ୍ରି, ଉତ୍ପାଦନ, ବ୍ୟବହାର ଓ ଗଚ୍ଛିତ ରଖିବାକୁ ନିଷେଧ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ଲାଷ୍ଟିକ ନିଷେଧ ନେଇ ସେପ୍ଟେମ୍ବର ୫ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏନେଇ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ୟ୍ୟ ନିୟମାବଳୀ ଠାରୁ ଅଧିକ ମାଇକ୍ରନରର ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀ ଅଛି ତାହାକୁ ଆସନ୍ତା ମାସକ ମଧ୍ୟରେ ଶେଷ କରିବେ। ଅକ୍ଟେବାର ୨୬ ପରେ ଏହି ସାମଗ୍ରୀ ମିଳିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ୟାନ୍ ହେବ
– ପିଇବା ପାଣି ପାଉଚ୍
– ୫୦୦ ମିଲିମିଟରରୁ କମ୍ ପାଣି ବୋତଲ
– ପଲିଥିନ୍ ବ୍ୟାଗ୍
– ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ
– ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ
– ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍
– ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର
ବ୍ୟାନ୍ ହେବନାହିଁ
– ରକ୍ତ ଥଳି ଓ ହସପିଟାଲରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ହଟିକଲ୍ଚର ଓ ଫର୍ଟିଲାଇଜରରେ ବ୍ୟବହୃତ ପ୍ଲାଷ୍ଟିକ
– ୫୦ ମାଇକ୍ରୋନରୁ ଅଧିକ ଓ ୨୦% ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ କଟକଣାମୁକ୍ତ
– ୫୦୦ ମିଲିଲିଟର ଓ ତାଠୁ ଅଧିକ କ୍ଷମତା ବିଶିଷ୍ଟ ପାଣି ବୋତଲ
– ଖାଲି ବୋତଲ ଫେରାଇଲେ ବ୍ୟବହାରକାରୀଙ୍କୁ ସେ ବାବଦରେ ଟଙ୍କା ମିଳିବ
– ଅର୍ଥାତ୍ ବାଏ ବ୍ୟାକ ନୀତି ଲାଗୁ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର
– ଇଲେକଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଥର୍ମୋକୁଲ ମଧ୍ୟ ଫେରସ୍ତ ହେବ
ପାଷ୍ଟିକରେ ଲାଗିବ କି କଟକଣା :
ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ୍ର ମାଲିକମାନେ ମଧ୍ୟ ମାନିବେ । ଏ ନେଇ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ଗୋଟିଏ ବର୍ଷ ପାଇଁ ମାଗଣାରେ ସିନେମାହଲ ମାଲିକମାନେ ହଲରେ ସ୍ଲାଇଡ୍ ସୋ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଡ୍ରାଫଟ୍ରେ ଉଲ୍ଲେଖ ରହିଛି ।
ଏଣିକି ଆପଣ ପଲିଥିନ ବ୍ୟାଗ ଧରି ମାର୍କେଟକୁ ଯାଇପାରିବେ ନାହିଁ ଏଭଳି କଲେ ଆପଣଙ୍କୁ ଜରିମାନା ଦେବାକୁ ହେବ । ସବୁକିଛି ଠିକ ଭାବେ କାର୍ୟ୍ୟକାରୀ ହେଉଛି କି ନାହିଁ ତାର ତଦାରଖ କରିବେ ମ୍ୟୁନିସପାଲ କମିଶନର ଓ ସ୍ଥାନୀୟ ପୋଲିସ । ଏହି ଆଇନ ଖିଲାପ କଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ । ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରିବା ଲାଗି ବ୍ୟବସ୍ଥା କରାଯାଇଛି ।