ଡୋକଲାମ ବିବାଦ ପରେ ଚୀନ ସେନା ନେଲା ବଡ଼ ନିଷ୍ପତି ! ଭାରତ ପାଇଁ ଆଉ ଏକ ଧମକ

51

ଡୋକଲାମ ବିବାଦକୁ ନେଇ ଭାରତକୁ ଲଗାତାର ଭାବେ ଧକମ ଦେଉଥିବା ଚୀନ ସେନା ଏବେ ଏକ ବଡ଼ ନିଷ୍ପତି ନେଇଛି । ଚୀନ ସେନାର ଏହି ପଦକ୍ଷେପ ବା ନିଷ୍ପତିକୁ ମଧ୍ୟ ଭାରତ ପାଇଁ ଏକ ଧମକ ଭରା ସନ୍ଦେଶ କୁହାଯାଇ ପାରିବ । ଚୀନର ପିପୁଲସ ଲିବରେସନ ଆର୍ମି ବା ପିଏଲଏ ନିଜର ୯୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ସପ୍ତାହରେ ସୈନ୍ୟ ପ୍ୟାରେଡ଼ ପରିବର୍ତ୍ତେ ସୈନ୍ୟ ଅଭ୍ୟାସର ଆୟୋଜନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏବେ ପର୍ଯ୍ୟନ୍ତ ଚୀନ ସେନା ଏହି କାର୍ଯ୍ୟକ୍ରମରେ କେବଳ ପ୍ୟାରେଡ଼ କରୁଥିଲେ । ଏବେ କିନ୍ତୁ ଚୀନ ସେନାର ଏହି ନିଷ୍ପତି କେବଳ ଭାରତ ସହ ଯୋଡ଼ି ହୋଇଥିବା ବିବାଦକୁ ଆଖି ଆଗରେ ରଖି ହୋଇଛି ବୋଲି ଜଣାପଡ଼ିଛି । ହଂକଂ ଆଧାରିତ ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ଖବରକାଗଜ ଅନୁସାରେ, ରାଷ୍ଟ୍ରପତି ଜି ଜିନପିଙ୍ଗ୍ ୧ ଅଗଷ୍ଟକୁ ପିଏଲଏର ୯୦ ବର୍ଷ ପୂର୍ତ୍ତି ଅବସରରେ ସୈନ୍ୟ ପରେଡ଼ ପରିବର୍ତ୍ତେ ସୈନ୍ୟ ଅଭ୍ୟାସ ପାଇଁ ଆଦେଶ ଦେଇଛନ୍ତି । ରାଷ୍ଟ୍ରପତି ମଧ୍ୟ ଏହି ଅଭ୍ୟାସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଏସିଆର ସବୁଠାରୁ ବଡ଼ ସୈନ୍ୟ ପ୍ରଶିକ୍ଷଣ ଆଡ୍ଡାରେ ହେବ ଅଭ୍ୟାସ-

ରାଷ୍ଟ୍ରପତି ଜି ଜିନପିଙ୍ଗ, ଏସିଆର ସବୁଠାରୁ ବଡ଼ ସୈନ୍ୟ ପ୍ରଶିକ୍ଷଣ ଆଡ୍ଡାରେ ଚୀନର ସବୁଠାରୁ ବଡ଼ ଯୁଦ୍ଧାଭ୍ୟାସରେ ବିଶିଷ୍ଟ ଅତିଥି ରୂପେ ଯୋଗଦେବେ । ସୂତ୍ର ଅନୁସାରେ, ଚୀନର ଯୁଦ୍ଧ ବିମାନ ଜି-୨୦ର ଏକ ସ୍ୱାର୍ଡ଼ନ୍ ଏହି ଅଭ୍ୟାସରେ ସାମିଲ ହୋଇପାରେ । ଏହି ବିମାନ ଚଳିତ ବର୍ଷ ମାର୍ଚ୍ଚରେ ବାୟୁସେନାର ଏକ ଅଂଶ ହୋଇଥିଲା ।

ଗତ ସୋମବାର ଡ଼ୋକଲାମ ବିବାଦକୁ ନେଇ ଚୀନ ସେନା ଭାରତକୁ ଚେତାବନୀ ଦେଇଥିଲା । ଚୀନ ସେନା କହିଥିିଲା, ଭାରତ କୌଣସି ପ୍ରକାର ଭ୍ରମରେ ନରହୁ । ନିଜ ଅଞ୍ଚଳର ସୁରକ୍ଷା ପାଇଁ ଚୀନ ସେନାକୁ କେହି ହଲାଇ ପାରିବେ ନାହିଁ । ଗୋଟିଏ ପାହାଡ଼କୁ ହଲାଇବା ସହଜ କିନ୍ତୁ ଚୀନ ସେନାକୁ ନୁହେଁ । ଚୀନ୍ ରକ୍ଷା ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି, ଭାରତକୁ ସ୍ପଷ୍ଟ କରିଦେବାକୁ ଚାହୁଁଛିି କି ଚୀନ ଲିବରେସନ ଆର୍ମି ୯୦ ବର୍ଷ ଇତିହାସରେ ନିଜର କ୍ଷମତା ଓ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜର ଶକ୍ତିକୁ ଲଗାତାର ଭାବେ ବଢ଼ାଇଛି । ଆମର ଦୃଢ଼ତା ଓ ଇଚ୍ଛାଶକ୍ତିକୁ ହରାଇବା ଏତେ ସହଜ ନୁହେଁ ।