ରାଜ୍ୟପାଳରୁ ରାଷ୍ଟ୍ରପତି ! ରାମନାଥଙ୍କ ସଂପର୍କରେ କିଛି କଥା
ଦେଶର ପ୍ରଥମ ନାଗରିକ ଭାବେ ସଂସଦ ଭବନରେ ଶପଥ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ରାମନାଥ କୋବିନ୍ଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାରର ପୂର୍ବତନ ରାଜ୍ୟପାଳ ତଥା ୭୧ ବର୍ଷୀୟ କୋବିନ୍ଦ ଦେଶର ଦ୍ୱିତୀୟ ଦଳିତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶପଥ ନେବା ପୂର୍ବରୁ ରାମନାଥ ତାଙ୍କ ପତ୍ନúଙ୍କ ସହ ୧୦ ଆକବର ରୋଡରୁ ବାହାରି ରାଜଘାଟ ପହଂଚି ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ସେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିବା ସହ ସଂସଦ ଅଭିମୁଖେ ବାହାରିଥିଲେ ଉଭୟେ । କୋବିନ୍ଦଙ୍କୁ – ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଓ ଉପରାଷ୍ଟ୍ରପତି ସ୍ୱାଗତ କରିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା ।
ରାମନାଥଙ୍କ ରାଜନୈତିକ କ୍ୟାରିୟର
ଏକ କୃଷକ ପରିବାରରେ ଜନ୍ମଲାଭ କରିଥିବା ରାମନାଥ, ଉତ୍ତର ପ୍ରଦେଶରୁ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ö ୧୯୯୪ ରୁ ୨୦୦୬ ମଧ୍ୟରେ ଦୁଇଥର ରାଜ୍ୟସଭା ସଦସ୍ୟ ରହିସାରିଥିବା ଦଳିତ ନେତା ରାମନାଥ ଉତ୍ତରପ୍ରଦେଶ କାନପୁର ବାସିନ୍ଦା । ୧୯୭୧ରେ ଦିଲ୍ଲୀ ହାଇକୋର୍ଟ ବାର କାଉନସିଲର ସଦସ୍ୟତା ହାସଲ କରିଥିଲେ ।୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ଥିଲେ ।
୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।୧୯୯୧ରେ ବିଜେପିରେ ସାମିଲ୍ ହୋଇଥିବା ରାମନାଥ ୧୯୯୪ରେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୦ରେ ୟୁପିରୁ ପୁଣି ଥରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୨ ବର୍ଷର ରାଜ୍ୟସଭା ସଦସ୍ୟତା ଭିତରେ, ଅନେକ ସଂସଦୀୟ କମିଟିର ସଦସ୍ୟ ରହିସାରିଛନ୍ତି ରାମନାଥ କୋବିନ୍ଦ । ପେଷାରେ ଓକିଲ ଥିବା ରାମନାଥ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରମୁଖ ମଧ୍ୟ ।
୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ବିଶେଷ କାର୍ୟ୍ୟକାରୀ ଅଧିକାରୀ ମଧ୍ୟ ରହିସାରିଛନ୍ତି । ଦୁଇ ଥର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ , ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଉତ୍ତରପ୍ରଦେଶର ମହାମନ୍ତ୍ରୀ ରହି ସାରିଛନ୍ତି । ଅଗଷ୍ଟ ୨୦୧୫ରେ ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରାମନାଥ ଉତ୍ତରପ୍ରଦେଶରୁ ରାଜ୍ୟପାଳ ବନିଥିବା ତୃତୀୟ ବ୍ୟକ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୋଦି ସରକାର ରାମନାଥଙ୍କୁ ଚୟନ କରିବା ପରେ ତାଙ୍କ ବିପକ୍ଷରେ ଥିଲେ ୟୁପିଏ ପ୍ରାର୍ଥୀ ମୀରା କୁମାର । ୬୫.୬୫ ପ୍ରତିଶତ ଭୋଟ ପାଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦବୀ ଅଳଂକୃତ କରିଥିଲେ ରାମନାଥ କୋବିନ୍ଦ ।