ପ୍ରଚାର ପାଇଁ ପିଙ୍କିଙ୍କ ଠୁମକା ! ବିଜେପି ପାଇଁ ଷ୍ଟେଜରେ ଗୀତ ଗାଇ ନାଚିଲେ ଅଭିନେତ୍ରୀ

91

କନକ ବ୍ୟୁରୋ : ପ୍ରଚାର ପାଇଁ ଠୁମକା ଲଗାଇଲେ ପିଙ୍କି ପ୍ରଧାନ । ମାଲକାନଗିରିରେ ପଂଚାୟତ ନିର୍ବାଚନ ପାଇଁ ପହଂଚିଥିବା ଅଭିନେତ୍ରୀ ପିଙ୍କି, ଆଜି ବିଜେପି ପାଇଁ ଷ୍ଟେଜରେ ଗୀତ ଗାଇ ନାଚିଛନ୍ତି । ତେବେ ଠୁମକା ଲଗାଇବାବେଳେ ନବୀନ ସରକାରଙ୍କ ବିରୋଧରେ ଗୀତ ଗାଇଛନ୍ତି ଅଭିନେତ୍ରୀରୁ ନାରୀନେତ୍ରୀ ବନିଥିବା ପିଙ୍କି । ଯାହା ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା

ମାଲାକାନଗିରିକୁ ଜାପାନୀ ଜ୍ୱର ଛାଡି ଚାଲିିଯିବା ପରେ ବି କମିନି ଉଷ୍ମତା । ଏ ତାତି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ । ମାଓ ମୂଲକରେ ଚାଲିଛି ହାଇପ୍ରୋଫାଇଲ ପ୍ରଚାର । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ପହଂଚିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ । ଆଉ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଷ୍ଟେଜରେ ଠୁମକା ଲଗାଇଛନ୍ତି ପିଙ୍କି । ହେଲେ କଂଠରେ ରାଜ୍ୟ ସରକାର ବିରୋଧୀ ସ୍ୱର ।

ଜାପାନୀ ଜ୍ୱରରେ ଗୋଟିଏ ପରେ ଗୋଟିଏ କଅଁଳା ଶିଶୁ ଅଖିବୁଜିବା ଘଟଣାକୁ ନେଇ ଜିଲ୍ଲାରେ ବେଶ ସମାଲୋଚିତ ହୋଇଛନ୍ତି ସରକାର । ତେଣୁ ନିର୍ବାଚନ ପ୍ରଚାରବେଳେ ଏହି ପ୍ରମୁଖ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଅଭିନେତ୍ରୀରୁ ନାରୀ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ ।

ଗାଁ ନିର୍ବାଚନ ପ୍ରଚାରରେ ସାମିଲ ଅଭିନେତ୍ରୀଙ୍କୁ ଦେଖିବାକୁ ବେଶ ଲୋକ ସମାଗମ ହୋଇଥିଲା । ପ୍ରାୟ ୫ ହାଜର ଅଧିକ ଲୋକ ଉପସ୍ଥିତିରେ ନବୀନ ସରକାର ବିରୋଧୀ ଗୀତ ଗାଇ ଷ୍ଟେଜରେ ଠୁମକା ଲଗାଇଛନ୍ତି ପିଙ୍କି । ବିଜେପି କ୍ୟାମ୍ପର କେନ୍ଦ୍ରୀୟ ନେତା ଜୁଏଲ ଓରାମ ବି ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଓଡିଆକୁ ନେଇ କଡା ଟିପ୍ପଣି କରିଥିଲେ ।

ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୈତିକ ଦଳଙ୍କ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ସିନେ ତାରକା । ବିଜେଡିରେ ମାଳମାଳ ଅଭିନେତା ଥିବାବେଳେ ବିଜେପିରେ ପିଙ୍କି ପ୍ରଧାନଙ୍କ ଶାଣିତ କଟାକ୍ଷ ମହଙ୍ଗା ପଡିବା ମନେ ହେଉଛି ।