କନ୍ଧମାଳରେ ଲୋକଙ୍କୁ ଥରାଉଛି ଶୀତ ! ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ

77

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଶୀତ ଥରାଉଛି । ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି । ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି । ରିପୋର୍ଟ ଅନୁସାରେ ରବିବାର କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଓଡ଼ିଶାର କଶ୍ମୀର କୁହାଯାଉଥିବା ‘ଦାରିଙ୍ଗବାଡ଼ି’ରେ ଆଜି ତାପମାତ୍ରା ୭.୮ ଡିଗ୍ରି ରେକର୍ଡ କରାଯାଇଛି ।

କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ରାତିସାରା କୁହୁଡ଼ି ରହୁଥିବା ବେଳେ ଦିନ ବେଳା ଏହା ପୂର୍ବାହ୍ନ ୯ଟା ପରେ ହଟୁଛି । ଶୀତ ବଢ଼ିବା ଯୋଗୁଁ ବରିଷ୍ଠ ନାଗରିକମାନଙ୍କୁ ଅଧିକ କଷ୍ଟ ଅନୁଭବ ହେଉଛି । ବୁଢ଼ା-ବୁଢ଼ୀମାନେ ନିଆଁ ପାଖରେ ବସିବା ପାଇଁ ବ୍ୟାକୁଳ ହୋଇ ପଡୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨ ସପ୍ତାହ ହେବ ଶୀତ ଅଧିକ ଅନୁଭୂତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ପ୍ରକୋପ ବେଶୀ ରହିଛି । ଫୁଲବାଣୀରେ ଶନିବାର ତାପମାତ୍ରା ୭ ଡିଗ୍ରି ଓ ଶୁକ୍ରବାର ୭.୫ଡିଗ୍ରି ରେକର୍ଡ କରାଯାଇଥିଲା ।