ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଉଛି ଅଶୋଧିତ ତୈଳ ମୂଲ୍ୟ ! ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

26

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପାଖାପାଖି ପହଞ୍ଚି ଯାଇଛି । ୨୦୧୫ ମସିହା ଜୁଲାଇ ପରେ ତେଲ ମୂଲ୍ୟ କେବେ ଏହି ସ୍ତର ଛୁଇଁ ନଥିଲା । ଚଳିତବର୍ଷ ଜୁନ୍‌ରେ ଏହା ହ୍ରାସ ପାଇ ୪୪ ଡଲାରକୁ ଖସିଆସିଥିଲା । କିନ୍ତୁ ଜୁନ୍‌ରୁ ଇତି ମଧ୍ୟରେ ଅଶୋଧିତ ତେଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦ ପ୍ରତିଶତ ବଢ଼ିସାରିଲାଣି । ଆସନ୍ତା ଡିସେମ୍ବର ବେଳକୁ ଅଶୋଧିତ ତେଲ ଦର ୬୫ ଡଲାର ମଧ୍ୟ ଟପିବାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟୁଥିବାରୁ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୦ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୫ ଟଙ୍କା ଟପିବା ନେଇ ଆଶଙ୍କା ଦେଖାଦେଇଛି । ସରକାର ନିକଟରେ ଏଲ୍‌ପିଜି ଦର ବଢ଼ାଇ ସାରିଛନ୍ତି । ଆଗକୁ ପୁଣି ଏଲ୍‌ପିଜି ଏବଂ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଆଶଙ୍କା ମଧ୍ୟ ରହିଛି । ଯଦି ଏହା ହୁଏ ତାହେଲେ ଆଗାମୀ ଦିନରେ ଗ୍ରାହକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ । ସେହିଭଳି ନୋମୁରାର କହିବା ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ମଧ୍ୟ ବର୍ଦ୍ଧିତ ଅଶୋଧିତ ତେଲ ଦର ପ୍ରଭାବିତ କରିବ ।

ବିଶେଷଜ୍ଞ ଅଜୟ କେଡ଼ିଆଙ୍କ କହିବାନୁଯାୟୀ, ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ଉଚିତ। ଏହାହେଲେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପେକ୍ଷାକୃତଭାବେ କମ୍‌ ରହିବ । ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ । ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିଲା । କିନ୍ତୁ ଏହା ପୁଣି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି । ଓପେକ୍‌ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ଦୈନିକ ୧.୮ ନିୟୁତ ବ୍ୟାରେଲ ହ୍ରାସ କରିଛନ୍ତି । ଯୋଗାଣ ତୁଳନାରେ ଚାହିଦା ବୃଦ୍ଧି ପାଇଥିବାରୁ ଅଶୋଧିତ ତେଲର ମୂଲ୍ୟ ବଢ଼ିବାରେ ଲାଗି ଛି।