ମୋଦିଙ୍କ ଫଟୋ ଲଗାଅ, ନଚେତ ବନ୍ଦ ହେବ ପେଟ୍ରୋଲ ଯୋଗାଣ : ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡ଼ିକର ମୌଖିକ ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା

28

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡ଼ିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଢ଼ଙ୍ଗରେ ପ୍ରଚାର କରନ୍ତି । ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ ଠାରୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିସାରିଲେଣି । କେଉଁ ଉପାୟରେ ଜନତାଙ୍କ ଧ୍ୟାନ ଆକର୍ଷଣ କରିହେବ, ସେନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଚଳିତ ଥର ନିର୍ବାଚନ ପାଇଁ କଂଗ୍ରେସ ସୋସିଆଲ୍ ମିଡ଼ିଆକୁ ଆୟୁଧ କରିବ । କାରଣ ଯୁବଗୋଷ୍ଠୀ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ । ଏପରି କରିବା ଦ୍ୱାରା ଯୁବଗୋଷ୍ଠୀକୁ ଧ୍ୟାନ ଆକର୍ଷଣ କରିହେବ ।

ତେବେ ଆଗାମୀ ନିର୍ବାଚନ ପାଇଁ ମୋଦି ସରକାର ମଧ୍ୟ ଏବେଠାରୁ ପ୍ରଚାର ପାଇଁ ଅଂଟା ଭିଡ଼ିଲେଣି । ସୂଚନା ଅନୁସାରେ ୨୦୧୯ ନିର୍ବାଚନ ପୂର୍ବରୁ ସମସ୍ତ ପେଟ୍ରୋଲ ପମ୍ପ ଡିଲରଙ୍କୁ, ଆଉଟଲେଟରେ ମୋଦିଙ୍କ ଛବି ପ୍ରଦର୍ଶିତ କରିବା ପାଇଁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଆଉ ନିର୍ଦ୍ଦେଶ ନମାନିଲେ ପେଟ୍ରୋଲ ଯୋଗାଣ ବନ୍ଦ କରିଦିଆଯିବ ବୋଲି ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡ଼ିକ ଧମକ ମଧ୍ୟ ଦିଆଯାଉଛି ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମଟେଡ଼୍ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼୍ ପରି ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡ଼ିକ କୁଚୁରା ପେଟ୍ରୋଲ ଦୋକାନୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । । ସୂଚନା ଅନୁସାରେ ପେଟ୍ରୋଲ ପମ୍ପକୁ ଯାଉଥିବା ସରକାରୀ ଅଧିକାରୀ ମାନଙ୍କ ମାଧ୍ୟମରେ ଏହି ଆଦେଶ ଦିଆଯାଉଛି । ତେବେ ପେଟ୍ରୋଲ ପମ୍ପରେ ମୋଦିଙ୍କ ଛବି ବ୍ୟତୀତ ବିପିଏଲ ପରିବାର ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଦିର ବିଜ୍ଞାପନ ଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି ।

source : Jansatta

ତେବେ ଆଇଓସିଏଲର ଜଣେ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରର ଯୋଜନା ଗୁଡ଼ିକ ପ୍ରଚାର କରାଯାଉଛି, ଯଦ୍ୱାରା ସାଧାରଣ ଜନତା ଲାଭବାନ ହୋଇପାରିବେ । ତେବେ ଏହି ଯୋଜନା ଗୁଡ଼ିକର ପ୍ରଚାର ସମୟରେ ମୋଦିଙ୍କ ଫଟୋ ଦେବା ପାଇଁ ପଡ଼ୁଛି । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ।