ଜୀବନ ଯନ୍ତ୍ରଣା ! ଇଚ୍ଛାମୃତ୍ୟୁ ମାଗିଲେ ତାମିଲନାଡୁ ବ୍ୟକ୍ତି । କରିବେ ଅଙ୍ଗଦାନ

55

ଧରାପୃଷ୍ଠରେ ଜନ୍ମନେଲେ ମୃତ୍ୟୁ ସୁନିଶ୍ଚିତ । ଇଚ୍ଛା ଥାଉ ଅବା ନଥାଉ । କିନ୍ତୁ ଜଣେ ବ୍ୟକ୍ତି ନିଜ ମୃତ୍ୟୁ ଦାବି କରିବା ବା ମାଗିବା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସତ । ତାର ଇଚ୍ଛା, ସେ ମୃତ୍ୟୁକରିବ । ଆଉ ତାମିଲନାଡୁର ଏହି ୪୫ ବର୍ଷିୟ ବ୍ୟକ୍ତି ଜଣକ ନିଜ ‘ଇଚ୍ଛାମୃତ୍ୟୁ’ ପାଇଁ ତାମିଲନାଡୁ ସରକାରଙ୍କ ପାଖରେ ଦାବି କରିଛନ୍ତି । ତାଙ୍କର ମୃତ୍ୟୁ ପଛର କାରଣ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ମୃତ୍ୟୁ ପଛର କାରଣ ହେଉଛି ଅଙ୍ଗଦାନ । ଏହି ବ୍ୟକ୍ତିଙ୍କ ଶରୀରର ତଳଭାଗ କିଛି କାମ କରୁନଥିବାରୁ ସେ ଅନେକ ସମସ୍ୟାର ସମ୍ମୁଖୀନ କରୁଛନ୍ତି ।

କିଛି ବର୍ଷ ପୂର୍ବେ ବ୍ୟକ୍ତିଜଣଙ୍କ ଗୋଟିଏ ବିଲିଡିଂରେ କାମ କରୁଥିବା ବେଳେ ଛାତରୁ ଖସିପଡିଥିଲେ । ସେବେଠାରୁ ତାଙ୍କ ଶରୀରର ତଳଭାଗ ଆଉ କାମ କରୁନାହିଁ । ଏବେ ତାଙ୍କ ଜୀବନ ହ୍ୱିଲ ଚେୟାରରେ କଟୁଛି । ସେ ତାଙ୍କ ଆଖି ଓ ଅନ୍ୟ ଅଙ୍ଗଦାନ ପାଇଁ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ।

ଆମ ସମାଜରେ ବଂଚିବା ପାଇଁ ଲୋକମାନେ କେତେ କଣ କରୁଥିବା ବେଳେ ଏହି ବ୍ୟକ୍ତି ଜଣକ ନିଜ ମୃତ୍ୟୁ ପାଇଁ ଆବେଦନକରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ତା ପଛରେ ଲୁଚି ରହିଛି ମହତ ଉଦ୍ଦେଶ୍ୟ । ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ସମ୍ପର୍କିତ ରାୟକୁ ସଂରକ୍ଷିତ ରଖିଥିଲେ । ଆବେଦନକାରୀ କୋର୍ଟରେ ଯୁକ୍ତି ବାଢିଥିଲେ କି, ଜଣେ ଶାନ୍ତିରେ ମୃତ୍ୟୁପାଇଁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଉଲ୍ଲେଖ ଅଛି । ଯାହା ଜୀବନର ସୁରକ୍ଷା ବିଷୟରେ କହୁଛି । ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ପାଂଚ ଜଣିଆ ଖଣ୍ଡପୀଠରେ ମାମଲା ବିଚାରାଧୀନ ରହିଛି । କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରି କହିଛିନ୍ତି, ଯେ ଅନେକ ଲୋକ ‘ଇଚ୍ଛାମୃତ୍ୟୁ’ର ଅପବ୍ୟବହାର କରୁଛନ୍ତି ।

ତେବେ ଯାହା ହେଉନା କାହିଁକି ଏହି ବ୍ୟକ୍ତିଙ୍କର ମହତ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ମହାନ । ଅଙ୍ଗଦାନ ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରାଉଛନ୍ତି । ଭାରତରେ ଖୁବ କମ ଲୋକ ଅଙ୍ଗଦାନ ପାଇଁ ଏବେ ଆଗ୍ରହ ଦେଖାଉଥିବାବେଳେ ଇଚ୍ଛାମୃତ୍ୟୁ ସହ ଅଙ୍ଗଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।

ଶିକ୍ଷାଗତ ଯୋଗ୍ୟତା କମ । ବୃତ୍ତି ଘର ରଙ୍ଗ କରିବା । ତଥାପି ତାଙ୍କ ଆଶା ଯେ, ତାଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖୁ, ତାଙ୍କ ଶରୀର ଅନ୍ୟ ଅଙ୍ଗ ଆଉ କାହାର କାମ ଲାଗିଯାଉ । ଏଭଳି ମହାନ ଚିନ୍ତାଧାରାର ବ୍ୟକ୍ତିତ୍ୱ ଆମ ସମାଜରେ ଖୁବ କମ ଦେଖାଯାଆନ୍ତି । ଅନେକ ପ୍ରତିପତ୍ତି ଶାଳୀ ବ୍ୟକ୍ତି ବିଭିନ୍ନ ଉପାୟରେ ସମାଜରୁ ଲୁଣ୍ଠନ କରୁଥିବାବେଳେ ତାଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ।
ଆମ ସମାଜରେ ଅପାଠୁଆ କିମ୍ବା ପେଂଟରମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଭିନ୍ନ ଥାଏ କିନ୍ତୁ ସେମାନଙ୍କ ଭିତରେ ବି ଥାଏ ଦାନ କରିବାର ଇଚ୍ଛା, ସମାଜ ଓ ଦେଶ ପାଇଁ ନିଜ ଜୀବନକୁ ବଳିଦେବା ବି ତାଙ୍କ ରକ୍ତରେ ଥାଏ । ତାଙ୍କ ଦ୍ୱାରା କେହି ଲାଭବାନ ହେଉ ବା ସେମାନେ କାହାର ସାହାଯ୍ୟପ୍ରାପ୍ତି ହୁଅନ୍ତୁ ସେମାନେ ବି ଚିନ୍ତାକରନ୍ତି । ଏହା ହିଁ ସେମାନଙ୍କର ସ୍ୱତନ୍ତ୍ରତା । ଯାହାର ଉଦାହରଣ ହେଉଛି ତାମିଲନାଡୁ କୋଏମ୍ବାଟୁରର ଏହି ବ୍ୟକ୍ତି ।