ସତୈନାଙ୍କୁ ସଫା କରିଥିବାରୁ ସଲାମ: ହିସାବ ନିକାଶ ପରେ ହାଇଦ୍ରାବାଦ ପୋଲିସ ହାତରେ ରାକ୍ଷୀ ବାନ୍ଧିଲେ ମହିଳା, ଫୁଲ ବର୍ଷା କଲେ ଜନତା

586

କନକ ବ୍ୟୁରୋ: ପୋଲିସ ଉପରେ ଫୁଲ ବର୍ଷା… ପୋଲିସକୁ ପ୍ରଶଂସାରେ ପୋତି ପକାଇ ଫୁଲ ଫିଙ୍ଗିଲେ ସାଧାରଣ ଲୋକେ । ଏ ହେଉଛି ସେହି ବ୍ରିଜ, ଯେଉଁ ବ୍ରିଜ ତଳେ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜୀଅନ୍ତା ଜାଳି ଦେଇଥିଲେ ୪ ଜଣ ନର ରାକ୍ଷସ । ଆଉ ଏ ହେଉଛି ସେହି ବ୍ରିଜ ଯାହା ନିକଟରେ ୪ ଜହ୍ଲାଦଙ୍କୁ ଏନକାଉଂଟର କରିଛି ହାଇଦ୍ରାବାଦ ପୋଲିସ । ଲୋକଙ୍କ ଭିତରେ ଜଳୁଥିବା ପ୍ରତିଶୋଧର ନିଆଁ ପୋଲିସ ପ୍ରଶମିତ କରିବା ପରେ ଛୁଟି ଆସିଛି ଶୁଭେଚ୍ଛାର ଶୁଅ । ଆଉ ପୋଲିସ ଉପରେ ହେଉଛି ଫୁଲ ବର୍ଷା । ତଦନ୍ତରେ ଅବହେଳା ଓ ଦୋଷୀଙ୍କୁ ଦଣ୍ଡ ଦେବାରେ ବିଳମ୍ବ କାରଣରୁ ଯେଉଁ ପୋଲିସକୁ ଦିନକ ଆଗରୁ ଗାଳି ଦେଉଥିଲେ ଲୋକେ ସେହି ପୋଲିସକୁ ଦେଇଛନ୍ତି ଫୁଲର ଉପହାର ।

ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଂଟର ନେଇ ଶୁକ୍ରବାର ସକାଳୁ ଖବର ପ୍ରଚାର ହେବା ପରେ ହାଇଦ୍ରାବାଦ ସାଦନଗର ଓ ଏହା ଆଖପାଖ ଅଂଚଳରୁ ଘଟଣାସ୍ଥଳକୁ ଛୁଟିଥିଲା ଲୋକଙ୍କ ଶୁଅ । ହାଇଦ୍ରାବାଦରୁ ବେଙ୍ଗାଳୁରୁକୁ ସଂଯୋଗ କରୁଥିବା ୪୪ ନମ୍ବର ଜାତୀୟ ରାଜପଥରେ ଅଟକି ଯାଇଥିଲା ଗାଡି ମୋଟର । ଆଉ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ପୋଲିସ ଜିନ୍ଦାବାଦ ଓ ଭାରତ ମାତାକୀ ଜୟ ନାରାରେ ଫାଟି ପଡିଥିଲା ପୁରା ପରିବେଶ ।

ପ୍ରଥମଥର ପାଇଁ ଗୋଟିଏ ପୋଲିସ ଏନକାଉଂଟର, ସପକ୍ଷରେ ଶୁଣିବାକୁ ମିଳିିଲା ସ୍ୱର । କାରଣ ହାଇଦ୍ରାବାଦର ଜଘନ୍ୟକାଣ୍ଡ ପାଇଁ ଲୋକଙ୍କ ଭିତରେ ଆକ୍ରୋଶ ଚରମରେ ପହଂଚିଥିଲା । ଦେଶର ବିଳମ୍ବିତ ନ୍ୟାୟ ବ୍ୟବସ୍ଥାରେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ନେଇ ସନ୍ଦେହ ବଢୁଥିବାବେଳେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତଙ୍କ ଫୈସଲା କରିସାରିଥିଲା ପୋଲିସ ।

ଖାଲି ସେତିକି ନୁହେଁ ପୋଲିସ ହାତରେ ରାକ୍ଷୀ ବାନ୍ଧିଥିଲେ ଲୋକେ । ଏନକାଉଂଟର ସ୍ଥଳକୁ ପୋଲିସ କର୍ଡନ କରି ରଖିଥିବାବେଳେ ସେଠାରେ ପହଂଚି ଯାଇଥିଲେ ହଜାର ହଜାର ଲୋକ । ଦେଶର ଝିଅକୁ ନ୍ୟାୟ ଦେଇଥିବା କହି ପୋଲିସକୁ ପ୍ରଶଂସାରେ ପୋତି ପକାଇଥିଲେ ଲୋକେ । ଯୁବତୀଙ୍କ ଇଜ୍ଜତ ସହ ଖେଳିଥିବା ଜହ୍ଲାଦଙ୍କୁ ଉଚିତ ଶାସ୍ତି ଦେଇଥିବାରୁ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ହାତରେ ବାନ୍ଧିଥିଲେ ରାକ୍ଷୀ । ପୋଲିସ ହାତରେ ସ୍ଥାନୀୟ ମହିଳାଙ୍କ ରାକ୍ଷୀ ବାନ୍ଧିବାର ଏହି ବିରଳ ଚିତ୍ର ଟିଭି ପରଦାରେ ଦେଖୁଥିବା କୋଟି କୋଟି ଦର୍ଶକଙ୍କ ମନରେ ତିଆରି କରିଥିଲା ଏକ ଭାବବିହ୍ୱଳ ମୁହୂର୍ତ୍ତା

ହାଇଦ୍ରାବାଦ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କଲାବେଳେ ପୋଲିସ ଅବହେଳାକୁ ଦାୟୀ କରି ପ୍ରବଳ ବର୍ଷିଥିଲେ ପ୍ରତିବାଦକାରୀ । ହେଲେ ଗୋଟିଏ ଝଟକାରେ ସମସ୍ତଙ୍କ ମନ ବଦଳାଇ ଦେଇଥିଲା ହାଇଦ୍ରାବାଦ ପୋଲିସ । କାହିଁକି ଏନକାଉଂଟର ହେଲା? ମାନବାଧିକାରର ଉଲ୍ଲଂଘନ ହୋଇଛି କି ନାହିଁ? ସେ ସବୁ ପଛକଥା, ତଦନ୍ତ ହେବ । କିନ୍ତୁ ପୋଲିସ କର୍ମଚାରୀଙ୍କୁ ମିଠା ଖୁଆଇଲା ବେଳେ ଲୋକଙ୍କ ଭିତରେ ଯେଉଁ ଆତ୍ମସନ୍ତୋଷ ଥିଲା ତାହା ସ୍ପଷ୍ଟ ବାରି ହୋଇପଡିଛି ।