ଉଡ଼ିଗଲା ପତିତପାବନ ବାନା, ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାନା ଉଡ଼ିଯିବାକୁ ନେଇ ନାନା ଚର୍ଚ୍ଚା !

57

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୪ ହାତିଆ ପତିତପାବନ ବାନା ଉଡିଯିବା ପରେ ଖାଲି ଦେଖା ଯାଉଛି ନୀଳଚକ୍ର । ପତିତପାବନ ବାନା ଉଡ଼ିଯିବା ପରେ ତିନି ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ଦେଖାଦେଇଛି । ସବୁଠୁ ବଡ କଥା ହେଲା ଆଗାମୀ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର କରାଯାଇଥିବା ବେଳେ ହଠାତ୍ ପୁରୀ ମନ୍ଦିରରୁ ପତିତପାବନ ଉଡ଼ିଯିବାକୁ ପୁରୀ ବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡ଼ିଯିବା ଏକ ଅଶୁଭ ସଙ୍କେତ ବୋଲି ପୁରୀରେ ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବା ନେଇ ବିବାଦ ଲାଗି ରହିଥିବା ବେଳେ ଏପ୍ରିଲ ୪ ତାରିଖରେ ଏହାକୁ ଖୋଲିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଥିଲା । କିନ୍ତୁ ରତ୍ନଭଣ୍ଡାର ଖୋଲିବାକୁ ଏବେ ମଧ୍ୟ କିଛି ଭକ୍ତ ବିରୋଧ କରୁଛନ୍ତି । ପୂର୍ବରୁ ମଧ୍ୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଅନେକ ସମୟରେ ଅଘଟଣର ସଂକେତ କିମ୍ବା ଅଘଟଣ ହୋଇଥିବାର ଲୋକକଥା ରହିଛି । କିଛି ଗବେଷକଙ୍କ କହିବା ଅନୁଯାୟୀ, ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ । ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା । ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ ।

ଏହାଛଡା ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ଏକ ଲୋକକଥା କହିଥିଲେ ଯାହା ରତ୍ନଭଣ୍ଡାରକୁ ପ୍ରବେଶ କରିବା ଦ୍ୱାରା କିଭଳି ଅଘଟଣ ହୋଇଥାଏ ତାହା ସୂଚାଉଥିଲା । ଲୋକକଥା ଅନୁଯାୟୀ, ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ କିଛି ସେବାୟତ ଜଣେ ବ୍ୟକ୍ତିଙ୍କୁ ଭାର ଦୋଳିରେ ବସାଇ ଭଣ୍ଡାର ଭିତରକୁ ପଠାଇଥିଲେ । ଦଉଡି ଯୋଗେ ବ୍ୟକ୍ତି ଜଣକ ମସାଲ ଧରି ରତ୍ନ ଭଣ୍ଡାରକୁ ଗଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ଭଣ୍ଡାର ଭିତରକୁ ଯିବା ପରେ ଧିରେ ଧିରେ ବାହାରେ ଦଉଡି ଭାର ଧରିଥିବା ସେବାୟତ ହାଲୁକା ଅନୁଭବ କଲେ । ଯେପରି ଦୋଳିରେ କେହି ନଥିଲେ । ଫଳରେ ଭିତର ଦୋଳିକୁ ବାହାରକୁ ଟାଣିବା ପରେ ସେବାୟତ ମାନେ ଯାହା ଦେଖିଥିଲେ ତାହା ଆଶ୍ଚର୍ୟ୍ୟଜନକ ଥିଲା । ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତ ଭାର ଦୋଳିରେ ନଥିଲେ ଏବଂ ମସାଲ ଲିଭି ଯାଇଥିଲା । ଏପରିକି ଦୋଳି ଉପରେ ଏକ ପାରାର ମୃତ ଦେହ ପଡିଥିଲା । କିନ୍ତୁ ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତଙ୍କ ପତ୍ତା ମିଳି ନଥିଲା ।

ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି ।ତେବେ ସବୁଠାରୁ ବଡ କଥା ହେଲା ଆଗକୁ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।