ପଦ ୯୦ ହଜାର, ୨.୮ କୋଟି ଆଶାୟୀ ! ଅଷ୍ଟ୍ରେଲିଆର ଜନସଂଖ୍ୟାକୁ ଟପିଗଲା ଭାରତର ଆବେଦନକାରୀଙ୍କ ସଂଖ୍ୟା

27

୯୦ ହଜାର ପଦବୀ ପାଇଁ ୨.୮ କୋଟିରୁ ଉଦ୍ଧ୍ୱର୍ ଆଶାୟୀ ପ୍ରାର୍ଥୀ । ହିସାବ କଲେ ଗୋଟିଏ ପଦ ପାଇଁ ପ୍ରାୟ ୩୧୨ ଆଶାୟୀ ପ୍ରାର୍ଥୀ । ରେଳବିଭାଗ ପକ୍ଷରୁ ୯୦ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାୟ ୨.୮ କୋଟି ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଆବେଦନ ପାଇଁ ଆଜି ଶେଷ ତାରିଖ ଥିବା ବେଳେ ଆହୁରି ଅଧିକ ପ୍ରାର୍ଥୀ ଆବେଦନ କରିପାରନ୍ତି । ଏବେ ଯେତିକି ପ୍ରାର୍ଥୀ ଆବେଦନ କରିଛନ୍ତି ତାହା ଦିଲ୍ଲୀ ଓ ଅଷ୍ଟ୍ରେଲିଆର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଚଳିତଥର ରେଳ ବିଭାଗର ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆବେଦକଙ୍କ ପାଇଁ ଯୋଗ୍ୟତା ଓ ବୟସକୁ କୋହଳ କରାଯାଇଥିଲା । ଯାହାଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଏପର୍ଯ୍ୟନ୍ତ ମୋଟ ୨.୮ କୋଟି ପ୍ରାର୍ଥୀ ଆବେଦନ କରିଥିବା ବେଳେ ୨.୧୨ କୋଟି ଆଶାୟୀ ପ୍ରାର୍ଥୀ ଟଙ୍କା ଦେଇ ରେଜିଷ୍ଟ୍ରେସନ କରିଛନ୍ତି ।

ରେଳ ବିଭାଗର ଏହି ନିଯୁକ୍ତି ପ୍ରକିୟା ବିଶ୍ୱର ସବୁଠୁ ବଡ ନିଯୁକ୍ତି ପ୍ରକିୟା ବୋଲି କୁହାଯାଉଛି । ବର୍ତ୍ତମାନ ରେଳ ବିଭଗରେ ମୋଟ ୧୩ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଏହାବାଦ ପୁଣିଥରେ ଖାଲି ପଡିଥିବା ଆହୁରି ୨୦ ହଜାର ପଦ ପାଇଁ ମାସକ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିପାରେ ରେଳ ବିଭାଗ । ସପ୍ତମ ବେତନ କମିଶନ ଲାଗୁ ହେବା ପରେ ସରକାରୀ ଚାକିରୀ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏତେ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିବା ରେଳ ବିଭାଗର ଚିନ୍ତା ବଢାଇ ଦେଇଛି ।

ସୁବଠୁ ବଡ କଥା ହେଲା ୯୦୦୦୦ ହଜାର ପଦ ପାଇଁ ୨.୮ କୋଟି ପ୍ରାର୍ଥୀ ଆବେଦନ କରିବା ସରକାରଙ୍କ ନିଯୁକ୍ତି ପ୍ରତିଶ୍ରୁତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାର ଏହା ଏକ ଝଲକ । ଭାରତରେ ଏବେ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ନିଯୁକ୍ତି ସୃଷ୍ଟି କରାଯାଇ ପାରୁନାହିଁ । ଏପରିକି ସରକାର ମଧ୍ୟ ବାରମ୍ବାର ନିଯୁକ୍ତି କଥା କହୁଥିଲେ ମଧ୍ୟ ତାହା ବାସ୍ତବତା ଠାରୁ ବହୁତ ଦୂରରେ ।