ବର୍ଡ଼ରରେ ପୁଅ ସହ ଭେଟ ହୋଇ ଘରକୁ ଫେରୁଥିଲେ ବାପା ମା’ । ଘରେ ପହଞ୍ଚିବା ପୂର୍ବରୁ ଆସିଲା ପୁଅ ସହିଦ ହୋଇଥିବା ଖବର ।

130

ଜାମ୍ମୁ କାଶ୍ମୀର ବୋର୍ଡରରେ ପାକିସ୍ତାନର ଫାୟାରରେ ବିଏସଏଫର ଚାରି ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର ସିଂହ ମଧ୍ୟ ଥିଲେ । ଏହି ଆକ୍ରମଣରେ ୫ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ତେବେ ମୃତ୍ୟୁର ଠିକ କିଛି ସମୟ ପୂର୍ବରୁ ଜିତେନ୍ଦ୍ର ନିଜ ମା’ଙ୍କ ସହ କଥା ହୋଇଥିଲେ ଏବଂ ନିଜ ଧ୍ୟାନ ରଖିବା ପାଇଁ କହିଥିଲେ । ପ୍ରକୃତରେ ତାଙ୍କ ମା’ ସୁମିତ୍ରା ଦେବୀ ନିଜ ପୁଅକୁ ଭେଟିବା ପାଇଁ ଜାମ୍ମୁକାଶ୍ମୀର ପହଞ୍ଚିଥିଲେ ।

ବାପା ଓ ମା’ଙ୍କୁ ଭେଟିବା ପରେ ସେମାନଙ୍କୁ ଟ୍ରେନରେ ବସାଇ ଘରକୁ ପଠାଇଥିଲେ ଜିତେନ୍ଦ୍ର । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ବାପା ମା ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ମିଳିଥିଲା ନିଜ ପୁଅ ସହିଦ ହୋଇଥିବାର ଖବର । ପୁଅ ହରାଇବା ଦୁଃଖ ବାପା ମାଙ୍କୁ ସ୍ତବ୍ଧ କରିଦେଇଥିଲା ସତ କିନ୍ତୁ ତାଙ୍କ ସେମାନେ ନିଜ ପୁଅକୁ ନେଇ ଅତ୍ୟନ୍ତ ଗର୍ବିତ ଥିଲେ । ଏବଂ କହିଥିଲେ ଆମ ପୁଅ ଦେଶ ପାଇଁ ସହିଦ ହୋଇଛି । ତାଙ୍କ ମା କହିଥିଲେ ‘ମେରା ବେଟା ଅମର ରହେ’ । ସେପଟେ ଜିତେନ୍ଦ୍ରଙ୍କ ପିତା ପାକିସ୍ତାନ ଉପରେ ଆକ୍ସନ ନେବା ପାଇଁ ଦାବି କରିଛନ୍ତି । ସେ ମଧ୍ୟ ନିଜ ପୁଅକୁ ନେଇ ଅତ୍ୟନ୍ତ ଗର୍ବିତ ଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ସିଂହଙ୍କୁ ଦୁଇ ମାସ ପୂର୍ବରୁ ବ୍ୟାଙ୍କରେ ଚାକିରୀ କରିବା ନିମନ୍ତେ ପ୍ରସ୍ତାବ ଆସିଥିଲା । କିନ୍ତୁ ମନରେ ଦେଶ ପ୍ରେମ ଥିବା କାରଣରୁ ସେ ବ୍ୟାଙ୍କ ଚାକିରି କରିବା ପାଇଁ ମନା କରିଦେଇଥିଲେ ଏବଂ କହିଥିଲେ ଯେ, ସେ ଦେଶ ପାଇଁ ହିଁ କାମ କରିବେ । ଭଲ ପାଠ ପଢୁଥିବା ଜିତେନ୍ଦ୍ର ସିଂହ ୟୁପିଏସସି ଏବଂ ଆରଏସସିର ମୁଖ୍ୟ ପରୀକ୍ଷା ମଧ୍ୟ ଦେଇ ସାରିଛନ୍ତି । ତେବେ ବାପା ମାଙ୍କ ସହ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଏକ ୪ ବର୍ଷର ପୁଅ ମଧ୍ୟ ଅଛି ।
ସେପଟେ ଜୟପୁରର ସାଂସଦ ରାମଚରଣ ବୋହରା ଜିତେନ୍ଦ୍ର ସିଂହଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିଛନ୍ତି । ଏବଂ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିତେନ୍ଦ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ତେବେ ଜିତେନ୍ଦ୍ରଙ୍କ ପାର୍ଥିବ ଶରୀର ଜୟପୁରକୁ ଅଣାଯିବ । ଏବଂ ସେଠାରୁ ତାଙ୍କ ଜନ୍ମମାଟି ଭରତପୁର ଜିଲ୍ଲାର ସଲେମପୁରକୁ ଅଣାଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।