ଆଜିଠୁ ଆରମ୍ଭ ହେବ ଫୁଟବଲ ମହାଲଢେଇ ! ବିଜୟ ମୁକୁଟ ପାଇଁ ୩୨ଟି ଦଳ ମଧ୍ୟରେ ହେବ ଟକ୍କର ।

20

ଫୁଟବଲ୍ ବିଶ୍ୱକପର ୨୧ତମ ସଂସ୍କରଣ ଗୁରୁବାରଠାରୁ ରୁଷିଆ ରାଜଧାନୀ ମସ୍କୋରେ ଆରମ୍ଭ ହେବାକୁ ଯାଉଛି । ଏକ ମାସ ଧରି ଚାଲିବାକୁ ଥିବା ମସ୍କୋ ମହାସମରରେ ୩୨ଟି ବଛା ବଛା ଦଳ ବିଜେତା ମୁକୁଟ ପିନ୍ଧିବା ଲାଗି ଲଢ଼େଇ କରିବେ । ଏଥର ବିଶ୍ୱକପରେ ମୋଟ ୬୪ ମ୍ୟାଚ୍ ଖେଳାଯିବ । ଫୁଟ୍ବଲ୍ର ଏହି ମହାକୁମ୍ଭ ରୁଷିଆର ୧୧ ସହରର ୧୨ ଷ୍ଟାଡିୟମରେ ଆୟୋଜିତ ହେବ । ଗୁରୁବାର ରାତି ୮ଟା ୩୦ରୁ ଆୟୋଜକ ରୁଷିଆ ଏବଂ ସାଉଦି ଆରବ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ ।

ଏହା ପୂର୍ବରୁ ଅଧଘଣ୍ଟାଏର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଫୁଟବଲ୍ ଜଗତର ବହୁ ନାମୀଦାମୀ ତାରକା ଏବଂ କିମ୍ବଦନ୍ତୀ କ୍ରୀଡ଼ାବିତଙ୍କ ସହ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଜଗତର ସେଲିବ୍ରେଟି ଯୋଗଦେବେ । ଫାଇନାଲ୍ ଜୁଲାଇ ୧୫ରେ ମସ୍କୋର ଲୁଝନିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥର ବିଶ୍ୱକପରେ ରେକର୍ଡ ୨୭୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ସଂପ୍ରତି ବିଶ୍ୱମାନ୍ୟତାର ପ୍ରଥମ ପାଞ୍ଚ ସ୍ଥାନରେ ଥିବା ଜର୍ମାନି, ବ୍ରାଜିଲ, ବେଲଜିୟମ, ପର୍ତୁଗାଲ ଓ ଆର୍ଜେଣ୍ଟିନାକୁ ଚଳିତ ବିଶ୍ୱକପର ପ୍ରମୁଖ ଦାବିଦାର କୁହାଯାଉଛି । ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ଜର୍ମାନି ବିଶ୍ୱବିଜୟୀ ହୋଇଥିଲା ।