ଶରୀର ପାରାଲାଇଜଡ କିନ୍ତୁ ମନୋବଳ ଦୃଢ ! ୩ ବର୍ଷରେ ପାହାଡ ଖୋଳି ତିଆରି କଲେ ରାସ୍ତା

44

ନିଜର ଦୃଢ ମନୋବଳ ଓ ଅକ୍ଲାନ୍ତ ପ୍ରରିଶ୍ରମ ଦ୍ୱାରା ପାହାଡ ଭାଙ୍ଗି ରାସ୍ତା ତିଆରି କରିଥିଲେ ବିହାରର ମାଉଟେଂନ୍ ମ୍ୟାନ୍ ଦଶରଥ ମାଂଝି । ଏବେ ପୁଣି ଥରେ ପାହାଡରେ ରାସ୍ତା ତିଆରି କରିଛନ୍ତି କେରଳ ଥିରୁଅନନ୍ତପୁରମର ୫୯ ବର୍ଷୀୟ ଶଷୀ ଜି. ନାମକ ଜଣେ ବ୍ୟକ୍ତି । ତେବେ ସବୁଠାରୁ ବଡକଥା ହେଉଛି ଶଷୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ ପାରାଲାଇଜଡ । ହେଲେ ବି ଦୀର୍ଘ ୩ ବର୍ଷ କାଳ ପାହାଡର ପଥର ଭାଙ୍ଗି ତିଆରି କରିଛନ୍ତି ନିଜ ଗାଁକୁ ରାସ୍ତା ।

ଶଷୀଙ୍କ ଏପରି ପଦକ୍ଷେପ ପଛର କାରଣ ମଧ୍ୟ ଖୁବ୍ ସମ୍ବେଦନଶୀଳ । ୧୮ ବର୍ଷ ତଳେ ଗଛରୁ ପଡି ଶଷୀଙ୍କର ଗୋଟିଏ ଗୋଡ ଓ ଗୋଟିଏ ହାତ ପାରାଲାଇଜଡ୍ ହୋଇଯାଇଥିଲା । ତେବେ ଘରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ସେ ପଂଚାୟତ ଠାରୁ ଏକ ତିନି ଚକିଆ ସାଇକେଲ ସାହାଯ୍ୟ ମାଗିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ପଂଚାୟତ ସାଇକେଲ୍ ଦେବାକୁ ମନା କରିଦେଇଥିଲା ।

ତାପରେ ନିଜ ଗାଁକୁ ରାସ୍ତା କରିବା ପାଇଁ ଶଷୀ ଯେମିତି ପ୍ରତିଜ୍ଞା କରିଥିଲେ । ହେଲେ ରାସ୍ତା ପାଇଁ ପ୍ରତିବନ୍ଧକ ସାଜିଥିଲା ପାହାଡ । କିନ୍ତୁ ତାଙ୍କର ଭିଷ୍ମପ୍ରତିଜ୍ଞା ଆଗରେ ଭାଙ୍ଗି ଯାଇଥିଲା ପାହାଡ । ପ୍ରତିଦିନ ୬ଘଂଟା ଧରି ସେ ପାହାଡ ଖୋଳୁଥିଲେ । ଆଉ ଦୀର୍ଘ ୩ ବର୍ଷ ପରେ ନିଜ ଗାଁକୁ ୨୦୦ମିଟର ଲମ୍ବା ଏକ ରାସ୍ତା ତିଆରି କରିଛନ୍ତି । ହେଲେ ଏବେ ବି ତାଙ୍କୁ ପଂଚାୟତ ତରଫରୁ ସାଇକେଲ୍ ମିଳିନି । କିନ୍ତୁ ଶଷୀଙ୍କ ମନ ଦୁଃଖ ନାହିଁ । କାରଣ ସେ କୁହନ୍ତି ‘ମୋତେ ସାଇକେଲ୍ ମିଳୁ କି ନମିଳୁ କିନ୍ତୁ ଗାଁ ଲୋକଙ୍କୁ ରାସ୍ତା ତ ମିଳିଗଲା’ ।