ପାରଳା ମୃତ୍ୟୁର ଖଳନାୟକ ! ଆଇନ ବିଶେଷଜ୍ଞ କହିଲେ ମହଙ୍ଗା ପଡିବ ଷଡଯନ୍ତ୍ର

26

ପାରଳାଖେମୁଣ୍ଡି : କାହିଁକି ଆତ୍ମହତ୍ୟା କଲେ ପାରଳା ରାଜାଙ୍କ ମ୍ୟାନେଜର ଓ ତାଙ୍କ ତିନି ଭାଇ ଭଉଣୀ । ଏ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଂଚ୍ । ଏଥିପାଇଁ ଅପେକ୍ଷା କରିଥିଲା ସୁଇସାଇଡ୍ ନୋଟର ସତ୍ୟତାକୁ । ତେବେ ଫରେନସିକ୍ ଟେଷ୍ଟ ପରେ ଜଣା ପଡିଛି ସୁଇସାଇଡ୍ ନୋଟ୍ ଆତ୍ମହତ୍ୟାକାରୀଙ୍କର । ଆଉ ଏକଥା ସ୍ପଷ୍ଟ ହେବା ପରେ ଏହି ଚକ୍ରାନ୍ତରେ ସାମିଲ ଥିବା ଲୋକଙ୍କ ଅକଲ ଗୁଡୁମ୍ ହୋଇଯାଇଛି ।

କୁହାଯାଉଛି ମୃତ ଅନଙ୍ଗମଂଜରୀଙ୍କ ଭାଇ ଦେଇଥିବା ଏତଲାରେ ଯେଉଁମାନଙ୍କ ନାଁ ରହିଛି ଓ ସୁଇସାଇଡ ନୋଟରେ ମଧ୍ୟ ସେମାନଙ୍କ ନାଁ ରହିଛି । ଆଉ ଏହି ତାଲିକାର ଆଗରେ ରହିଛି ବିଧାୟକ କେ, ସୂର୍ଯ୍ୟା ରାଓଙ୍କ ନାଁ । ଯିଏ ଗିରଫ ଭୟରେ ହାଇକୋର୍ଟଙ୍କ ଠାରୁ ଆଗୁଆ ଜାମିନ୍ ନେଇଛନ୍ତି ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ, କିଛି ସ୍ଥାନୀୟ ବ୍ୟକ୍ତି , ସାମ୍ବାଦିକ ଓ ନେତା ଏ ପୁରା ଷଡଯନ୍ତ୍ରର ପଛରେ ଥିଲେ ବି ଅଭିଯୋଗ ହୋଇ ଆସୁଛି । ଏକଥା ସ୍ପଷ୍ଟ ହୋଇଥିଲା , ଯେଉଁଦିନ ଖୋଦ୍ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଦେଇଥିଲେ ବୟାନ୍ । କହିଥିଲେ, ଅସୁରକ୍ଷିତ ଥିବା ଦର୍ଶାଇ ରାଜା ପୁଲିସ୍ ଠାରୁ ସୁରକ୍ଷା ମାଗିଥିଲେ। ଆଉ ରାଜାଙ୍କୁ ସୁରକ୍ଷା ବି ଯୋଗାଇ ଦିଆଯାଇଥିଲା। ଯାହା ସ୍ପଷ୍ଟ କରିଥିଲା, ରାଜାଙ୍କ ସଂପତ୍ତି ହଡପର ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ତାହା ଥିଲା ସୁପରିକଳ୍ପିତ ଷଡଯନ୍ତ୍ର । ତେଣୁ ଷଡଯନ୍ତ୍ରର ନକ୍ସା ତିଆରି କରିଥିବା ବ୍ୟକ୍ତିଙ୍କୁ ଏବେ କ୍ରାଇମବ୍ରାଂଚ ଟାଣିପାରେ ।

ଏବେ ବି ରହସ୍ୟ ଘେରରେ ପାରଳା ରାଜା ନଜରବନ୍ଦୀ ନାଟକ । କିଏ ରଚିଥିଲା ଷଡଯନ୍ତ୍ରର ଚର୍ଚ୍ଚା। କାହାପାଇଁ ଗଲା ୪ଜଣଙ୍କ ଜୀବନ । ନିନ୍ଦା, ଅପବାଦକୁ ସହି ନପାରି, ତଦନ୍ତ ପୂର୍ବରୁ ମ୍ୟାନେଜର ଓ ତାଙ୍କ ଭାଇଭଉଣୀ ଆତ୍ମହତ୍ୟା କରିଛନ୍ତି କି । ସେପେଟେ ରାଜାଙ୍କ ସାନଭାଇ ସଂପତ୍ତିରୁ ଭାଗ ପାଇବାକୁ କେସ୍ କରିଥିବାରୁ ତାଙ୍କ ନାଁ ମଧ୍ୟ ଷଡଯନ୍ତ୍ରର ଚର୍ଚ୍ଚାରେ ସାମିଲ୍ ହୋଇଛି। ତେଣୁ ସହରରେ ଲାଗିଥିବା ମିଶନ୍ ସକ୍ସେସର ପୋଷ୍ଟରକୁ ମଧ୍ୟ କ୍ରାଇମବ୍ରାଂଚ୍ ସିଜ୍ କରିଛି। ମୋଟାମୋଟି କହିବାକୁ ଗଲେ କ୍ରାଇମବ୍ରାଂଚ୍ ଖୋଜୁଛି ମିଡିଆ ଟ୍ରାଏଲ୍ ଯୋଗୁଁ ଚାଲିଗଲା କି ୪ ଜଣଙ୍କ ଜୀବନ ।