ଅସୁସ୍ଥ ଜୟଲଳିତା ! ଅନୁଗତଙ୍କ ହେପାଜତରେ ତାମିଲନାଡୁ

27

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଅସୁସ୍ଥ । ତେଣୁ ତାଙ୍କ ଅନୁପସ୍ଥିରେ ତାଙ୍କ ବିଭାଗ ଗୁଡିକର ଦାୟିତ୍ୱ ତୁଲାଇବେ ରାଜ୍ୟ ଅର୍ଥମନ୍ତ୍ରୀ ଓ. ପନିର ସେଲଭାମ । ରାଜ୍ୟପାଳ ସି. ବିଦ୍ୟାସାଗର ରାଓ ଆଜି ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଭାରତୀୟ ସମ୍ବିଧାନର ଧାରା ୧୬୬ ଅନ୍ତର୍ଗତ ସେକ୍ସନ -୩ ଅଧୀନରେ ରାଜ୍ୟପାଳ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

ଜୟଲଳିତା ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ଓ ସେ ହସ୍ପିଟାଲରେ ଥିବା ପର୍ଯ୍ୟନ୍ତ ତାଙ୍କ ବିଭାଗର ଦାୟିତ୍ୱ ତୁଲାଇବେ ଅର୍ଥମନ୍ତ୍ରୀ ପନିର ସେଲଭାମ । ସାଧାରଣ ପ୍ରଶାସନ ବିଭାଗ ସହ ଗୃହ ଓ ପୋଲିସ ପ୍ରଶାସନ ତାଙ୍କ ଅଧିନରେ ରହିବ । ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିପାରିବେ ପନିର ସେଲଭାମ ।

ଗତ ସେପ୍ଟେମ୍ବର ୨୨ ତାରିଖରୁ ଅସୁସ୍ଥ ହୋଇ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଜୟଲଳିତା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ମଧ୍ୟ ଡାକ୍ତରଙ୍କ ନୀରୀକ୍ଷଣରେ ରହିବେ ସେ । ତେଣୁ ହସ୍ପିଟାଲରେ ତାଙ୍କ କେତେଦିନ ରହିବାକୁ ପଡିବ ସେନେଇ ଅନିଶ୍ଚିତତା ଲାଗିରହିଛି । ଆଉ ଏହାରି ଭିତରେ ଜୟଲଳିତାଙ୍କ ଏକାନ୍ତ ଅନୁଗତ ପନିର ସେଲଭାମଙ୍କୁ ତାଙ୍କର ସମସ୍ତ ବିଭାଗ ହସ୍ତାନ୍ତର କରାଯାଇଛି ।