ବଲାଙ୍ଗିରରେ ପଂଚାୟତ ନିର୍ବାଚନକୁ ନେଇ ଜୋର ଧରିଲା ପ୍ରଚାର ଅଭିଯାନ:କ୍ୟାମ୍ପେନ ପାଇଁ ଘରେ ଘରେ ପହଂଚିଲେ ରାଜ ପରିବାରର ସଦସ୍ୟ

29

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ଏବେ ସବୁଠି ବୃଦ୍ଧି ପାଇଛି ରାଜନୈତିକ ଉଷ୍ମତା । ବଲାଙ୍ଗିରରେ ମଧ୍ୟ ଏହାର ତାତି ବେଶ୍ ବାରି ହୋଇପଡୁଛି । ପଂଚାୟତ ନିର୍ବାଚନ ପାଇଁ ପୁଣିଥରେ ବଲାଙ୍ଗିରରେ ମୁହାଁମୁହିଁ ହୋଇଛନ୍ତି ରାଜ ପରିବାର । କାକା ଅନଙ୍ଗ ଉଦୟ ସିଂଦେଓ ଏବଂ ପୁତୁରା କନକ ବର୍ଦ୍ଧନ ସିଂଦେଓଙ୍କ କ୍ୟାମ୍ପ ଭିତରେ ଲଢେଇ । ଏବେ ଏୟୁଙ୍କ କ୍ୟାମ୍ପର ମଙ୍ଗ ଧରିଛନ୍ତି ଦୁଇପୁଅ କଳିକେଶ ଓ ଅର୍କେଶ । ନବୀନ ସରକାରଙ୍କ ୧୭ବର୍ଷ ଶାସନର ବିଭିନ୍ନ ଜନକଲ୍ୟାଣମୂଳକ କାମକୁ ଲୋକଙ୍କ ପାଖରେ ପହଂଚାଇ, ଜିଲ୍ଲା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛି ରାଜ ପରିବାରର ବିଜେଡି କ୍ୟାମ୍ପ । ଏହାରି ଭିତରେ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏବେ ଘରକୁ ଘର ବୁଲି ନିଜ ସପକ୍ଷରେ ସମର୍ଥନ ହାସଲ ପାଇଁ ପ୍ରଚାର କରିବେ ଏହି ଦୁଇ ରାଜକୁମାର ।

ସେପଟେ ମୋଦିଙ୍କ ମଙ୍ଗୁଆଳ ସାଜି ବଲାଙ୍ଗିରରେ ବିଜେପି ବାନା ଉଡାଇବାକୁ ବି ସମସ୍ତ ପ୍ରସ୍ତୁତି ଶେଷ କରିଛି କେଭିଙ୍କ କ୍ୟାମ୍ପ । ପ୍ରସଙ୍ଗ ଭିତିରେ ପ୍ରଚାର କରିବ ଦଳ । ରାଜ୍ୟରେ ନବୀନଙ୍କ ୧୭ ବର୍ଷ ଶାସନର ବିଫଳତା ଓ କେନ୍ଦ୍ରରେ ମୋଦିଙ୍କ ଅଢେଇ ବର୍ଷ ଶାସନର ସଫଳତାକୁ ଲୋକଙ୍କ ପାଖରେ ପହଂଚାଇବ । ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଥିବା କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଦଖଲ କରିବାକୁ ବି ଆଶା ବାନ୍ଧି ବସିଛି ବିଜେପି । ଅନ୍ୟପଟେ ପାଟଣାଗଡରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି ଭାଇବୋହୂ ପ୍ରକୃତି କୁମାରୀ ସିଂଦେଓ । ସାହାଯ୍ୟ କରିବାକୁ ହାଇକମାଣ୍ଡ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିୟାଙ୍କୁ ବି ପଠାଇଛନ୍ତି ।

ସେପଟେ ରାଜ ପରିବାରର ଲଢେଇରୁ ଫାଇଦା ନେବାକୁ ବସିଛି କଂଗ୍ରେସ । ବିକାଶକୁ ମୁଦ୍ଦା କରି ଉଭୟ ବିଜେଡି ଓ ବିଜେପିକୁ ଚେକମେଟ ଦେବାଲାଗି ସ୍ୱତନ୍ତ୍ର ରଣନୀତି କରିଛନ୍ତି ଅଭିଜ୍ଞ ନେତା ନରସିଂହ ମିଶ୍ର । ବିଧାନସଭାରେ ନିଜର ଶାଣିତ ଆକ୍ରମଣରେ ସରକାରଙ୍କୁ ହଇରାଣରେ ପକାଇ ଦେଉଥିବା ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଦଳ ବଲାଙ୍ଗିର ଲଢେଇରୁ ଫାଇଦା ନେବାକୁ ଅନାଇ ବସିଛି । ପଶ୍ଚିମ ଓଡିଶାର ଏ ପ୍ରମୁଖ ଜିଲ୍ଲାକୁ କିଏ କରିବ ଦଖଲ, ସେଥିପାଇଁ ଆରମ୍ଭ ହୋଇଯାଇଛି ବଳ କଷାକଷି । ହେଲେ ରୋଚକ ହୋଇଛି ରାଜପରିବାର ଭିତରେ ରାଜନୀତିର ଲଢେଇ ।

ଦେଖନ୍ତୁ ଏହି ଭିଡିଓ :