ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ପରେ ଛାନିଆ ଶାସକ ଦଳ : ନିଜ ନିଜ ଗଡ ଉପରେ ନେତାଙ୍କ ସତର୍କ ଦୃଷ୍ଟି

48

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟଗଣତିର ଫଳାଫଳ ଦେଖିବା ପରେ ଏବେ ସମସ୍ତ ନଜର ସେହି ଅଂଚଳର ନେତାଙ୍କ ଉପରେ । ଆଜି ମତଦାନ ହେଉଥିବା ଅଂଚଳରେ କିଭଳି ଭଲ ପ୍ରଦର୍ଶନ କରିବ ଦଳ, ସେନେଇ ଏହି ସ୍ଥାନୀୟ ବିଧାୟକମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବୌଦ୍ଧର ୩ଟି ଜୋନ୍ରେ ଆଜି ନିର୍ବାଚନ ହେଉଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉପରେ ନଜର ରହିବ ।

ସେହିଭଳି ଧର୍ମଗଡ ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେବ ନିଜ ଅଂଚଳରେ ପ୍ରଦର୍ଶନ କରିପାରିନଥିବା ବେଳେ ଏବେ ଜୁନାଗଡ ବିଧାୟକ ତଥା ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ନଜର ରହିବ । ତାଙ୍କ ନିର୍ବାଚନ ମଣ୍ଡଳୀର ୬ଟି ଜୋନରେ ଆଜି ଭୋଟ୍ ଗ୍ରହଣ ହେଉଛି । ସେହିପରି ନିମାପଡା ବିଧାୟକ ତଥା ବିଜେଡି ମୁଖପାତ୍ର ସମୀର ଦାଶଙ୍କ ଅଂଚଳରେ ୮ଟି ଜୋନରେ ମତଦାନ ହେଉଛି । ଆରପଟେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କ ଅଂଚଳରେ ମଧ୍ୟ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଝଟକା ଲାଗିଥିବା ବେଳେ ଏହି ପର୍ଯ୍ୟାୟରେ ନିଜ ଅଂଚଳରେ କିଭଳି ଦଳ ଭଲ ପ୍ରଦର୍ଶନ କରିବ ତା ଉପରେ ନଜର ରଖିଛନ୍ତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । କଂଗ୍ରେସର ବିଧାୟକ ନବ ଦାସଙ୍କ ଅଂଚଳରେ ମଧ୍ୟ ଆଜି ମତଦାନ ହେଉଛି ।

ସେପଟେ ସୁକିନ୍ଦାରେ ବିଜେଡି ବିଧାୟକ ପ୍ରିତିରଂଜନ ଘଡେଇ ନିଜ ଅଂଚଳ ଦଳର ସ୍ଥିତି ବଂଚାଇ ରଖିବାକୁ ଚେଷ୍ଟା କରୁଥିବା ବେଳେ ବାଲିଅନ୍ତା ଓ ବାଲିପାଟଣା ଅଂଚଳ ଉପରେ ନଜର ରଖିଛନ୍ତି ଶଶିଭୂଷଣ ବେହେରା । ସେପଟେ ସୁ୍ଦାମ ମାରାଣ୍ଡି ଓ ସାନନ୍ଦ ମାରାଣ୍ଡିଙ୍କ ଗଡରେ ମଧ୍ୟ ଆଜି ହେଉଛି ନିର୍ବାଚନ । ପରିବହନ ମନ୍ତ୍ରୀ ରମେଶ ମାଝିଙ୍କ ଅଂଚଳରେ ମଧ୍ୟ ଆଜି ମତାଦାନ ହେଉଥିବା ବେଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଂଚଳରେ ମତଦାନ ହେଉଛି । ୨୦୧୨ ନିର୍ବାଚନରେ ଏହି ୧୭୫ଟି ଜିଲ୍ଲା ପରିଷଦ ଆସନରୁ ୭୭ ପ୍ରତିଶତ ଆସନ ବିଜେଡି ଅକ୍ତିଆର କରିଥିବା ବେଳେ କଂଗ୍ରେସ ହାତକୁ ୧୩ ଓ ବିଜେପି ହାତକୁ ୨ ପ୍ରତିଶତ ଆସନ ଯାଇଥିଲା ।