କ୍ରିକେଟ ଷ୍ଟାଡିୟମରୁ ପାଣି ଶୋଷି ନେଲା ହେଲିକପ୍ଟର ! ଜାଣନ୍ତୁ କେଉଁ ଦେଶର କେଉଁ ଷ୍ଟାଡିୟମରେ ହେଉଥିଲା ମ୍ୟାଚ, ଦେଖନ୍ତୁ ଭିଡ଼ିଓ

46

ଆଇପିଏଲ ଭଳି ପାକିସ୍ତାନର ପିଏସଏଲ ଏତେ ଲୋକପ୍ରିୟ ହୋଇନଥିଲେ ସୁଦ୍ଧା ଏବେ ଗୋଟିଏ ନିଦ୍ଦିଷ୍ଟ କାରଣ ପାଇଁ ଚର୍ଚ୍ଚାରେ ରହିଛି । ପାକିସ୍ତାନରେ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବୋର୍ଡ ବିଭିନ୍ନ ଉପାୟ ଆପଣାଇଛି । ତେବେ ପିଏସଏଲ ମ୍ୟାଚ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କ୍ରିକେଟ ଷ୍ଟାଡିୟମରୁ ବର୍ଷା ପାଣି ଶୁଖାଇବା ପାଇଁ ପ୍ରଥମଥର ହେଲିକପ୍ଟରର ବ୍ୟବହାର କରିଛି ପାକିସ୍ତାନ ବୋର୍ଡ ।

ଗତ ବୁଧବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପିଏସଏଲର ଏଲିମିନେଟର ମ୍ୟାଚ କରାଚୀ କିଙ୍ଗସ ଓ ପେଶୱାର ଜାଲମି ମଧ୍ୟରେ ଖେଳାଯାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଲଗାତାର ଜାରି ରହିବାରୁ ଷ୍ଟାଡିୟମ ଭିତରେ ପାଣି ଭରି ଯାଇଥିଲା । ଫଳରେ ଖେଳ ଆଉ ସମ୍ଭବପର ନୁହେଁ ବୋଲି ଦର୍ଶକ ମାନେ ଭାବି ସାରିଥିଲେ । କିନ୍ତୁ ପିଏସଏଲ ଏଲିମିନେଟର ମ୍ୟାଚର ରୋମାଞ୍ଚକୁ ଫିକା କରିବାକୁ ଦେଇ ନଥିଲା ପାକିସ୍ତାନ ବୋର୍ଡ ।

ହଠାତ୍ ପଡିଆ ଭିତାରକୁ ଏଣ୍ଟ୍ରି ମାରିଥିଲା ପାକିସ୍ତାନ ସେନାର ଦୁଇ ଦୁଇଟି ହେଲିକପ୍ଟର । ପଡିଆ ସାରା ଘୂରି ବୁଲିବା ଦେଖି ଅନେକ ଦର୍ଶକ ଆଶ୍ଚଯ୍ୟ ହୋଇଥିଲେ । କିନ୍ତୁ ପଡିଆରୁ ପାଣି ଶୁଖାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ହେଲିକପ୍ଟର ନିୟୋଜିତ କରିଛି ଏକଥା ଦର୍ଶକ କିଛି ସମୟ ପରେ ହିଁ ଜାଣିଥିଲେ । ଦୁଇଟି ହେଲିକପ୍ଟର ପଡିଆରେ ଚକ୍କର କାଟିବା ସହ ଷ୍ଟାଡିୟମରେ ଥିବା ପାଣିକୁ ଶୁଖାଇଥିଲେ । ଏହାପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।