ସୁଷମାଙ୍କ ଟାର୍ଗେଟରେ ପାକିସ୍ତାନ ! ଜାତିସଂଘ ବୈଠକରେ କଡା ଜବାବ । କହିଲେ, ଆତଙ୍କବାଦୀଙ୍କୁ ଶରଣ ଦେଉଛି ପାକିସ୍ତାନ

79

କନକ ବ୍ୟୁରୋ: ପାକିସ୍ତାନକୁ ଟାର୍ଗେଟ କଲେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଆତଙ୍କବାଦକୁ ସେହି ଦେଶରେ ଶରଣ ମିଳୁଛି, ଯେଉଁ ଦେଶ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତି ଓ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଜାତିସଂଘର ସାଧାରଣ ଅଧିବେଶନର ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଏହା କହିଛନ୍ତି ସୁଷମା ସ୍ୱରାଜ । ଏଥିସହ ଏହି ଘଟଣାର ନିନ୍ଦା କରିବାକୁ ସୁଷମା ଅପିଲ କରିଛନ୍ତି ।

ଆତଙ୍କବାଦ ସାରା ବିଶ୍ୱରେ ଶାନ୍ତି ଓ ସୁରକ୍ଷା ଉପରେ ବଡ ବିପଦ । ଆତଙ୍କବାଦୀ ସମୂହକୁ ଦକ୍ଷିଣ ଏସିଆରେ ସମର୍ଥନ ମିଳୁଛି । ତେଣୁ ଆତଙ୍କବାଦକୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ସହାୟତା ସହ ରାଜନୈତିକ ସମର୍ଥନ କରୁଥିବା ଦେଶର ନିନ୍ଦା କରିବାକୁ ଅପିଲ କରିଛନ୍ତି ସୁଷମା ସ୍ୱରାଜ । ଜାତିସଂଘକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖକାନ ଅବାସୀଙ୍କ ମନ୍ତବ୍ୟ ଦେବା ପରେ ଏହାର କଡା ଜବାବ ଦେଇଛନ୍ତି ସୁଷମା ସ୍ୱରାଜ ।

ସେହିପରି ମିଳିତ ଜାତିସଂଘ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟ ବୟାନର କଡା ଜବାବ ଦେଇଛି ଭାରତ । ଜାତିସଂଘରେ ଭାରତର ପ୍ରଥମ ସଚିବ ଇନମ ଗମ୍ଭୀର ପାକିସ୍ତାନକୁ ଟେରରିସ୍ତାନ କହିଛନ୍ତି । ଏଥିସହ ସେ କହିଛନ୍ତି ପାକିସ୍ତାନ ଭଲ ଭାବରେ ବୁଝିନେବା ଉଚିତ, ଜମ୍ମୁକଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ସାରା ବିଶ୍ୱ ଜାଣିଛି କିଏ ଆତଙ୍କବାଦୀଙ୍କ ଗଡ, ତେଣୁ ଦୁନିଆଁକୁ ପାକିସ୍ତାନର ମାନବାଧିକାର ଜ୍ଞାନ ଦରକାର ନାହିଁ । ଓସାମା ବିନ ଲାଡେନ ଓ ମୁଲ୍ଲା ଓମାର ଭଳି ଗ୍ଲୋବାଲ ଟେରୋରିଷ୍ଟଙ୍କ ଆଶ୍ରୟଦାତା ନିଜକୁ ଆତଙ୍କବାଦ ପୀଡିତ ବୋଲି ଦର୍ଶାଇ ଅଭିନୟ କରୁଛି ।

ଆତଙ୍କବାଦୀ ଉତ୍ପାଦନ କରି ସରା ବିଶ୍ୱକୁ ରପ୍ତାନୀ କରିବା ଏବେ ପାକିସ୍ତାନର ମୁଖ୍ୟ କାମ ବୋଲି କହିଛନ୍ତି ଇନମ ଗମ୍ଭୀର । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହିଦ ଖାକାନ ଅବାସୀ ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ବୋଧିତ କରି କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କଶ୍ମୀରରେ ଖୋଲାଖୋଲି ମାନବାଧିକାର ଉଲ୍ଲଂଘନ ହେଉଥିବା ସେ ଅଭିଯୋଗ କରିଥିଲେ । ଏହାର ଜବାବ ରଖି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଇନମ ଗମ୍ଭୀର ।