କାଶ୍ମୀରର କ୍ରିଷ୍ଣା ଘାଟିରେ ସହିଦଙ୍କ ମୃତଦେହ ବିକୃତ କରିବା ପଛରେ ରହିଛି ପାକିସ୍ତାନ ସେନାର ହାତ ! ଭାରତ ପାଖରେ ଅଛି ପ୍ରମାଣ

30

କନକ ବ୍ୟୁରୋ : କାଶ୍ମୀରର କ୍ରିଷ୍ଣା ଘାଟିରେ ସହିଦଙ୍କ ମୃତଦେହ ବିକୃତ କରିବା ପଛରେ ପାକିସ୍ତାନ ସେନାର ହାତ ରହିଛି । ଏନେଇ ଭାରତ ପାଖରେ ପର୍ଯ୍ୟାପ୍ତ ଓ ବଳିଷ୍ଠ ପ୍ରମାଣ ଅଛି । ଭାରତ ସରକାର ଏପରି କୁତ୍ସିତ କାର୍ଯ୍ୟ କରିଥିବା ପାକିସ୍ତାନୀ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଗୋପାଳ ବାଘଲେ ।

ସହିଦ ଭାରତୀୟ ଯବାନଙ୍କ ରକ୍ତ ଦାଗ ନିୟନ୍ତ୍ରଣ ରେଖା ଯାଏଁ ଲମ୍ବିଥିବ, ଏବଂ ରୋଜା ନାଳା ନିକଟରେ ରକ୍ତର ଦାଗ ମିଳିବା ସ୍ପଷ୍ଟ କରୁଛି, ହତ୍ୟାକାରୀ ପୁଣି ପାକିସ୍ତାନ ଫେରିଯାଇଛି ବୋଲି ସେ କହିଛନ୍ତି । ଏହା ସହ ଏହି ହତ୍ୟାକାରୀମାନେ ପାକିସ୍ତାନ ପଟୁ ନୁହେଁ ପାକ୍ ଅଧିକୃତ କାଶ୍ମୀର ପଟୁ ଭାରତରେ ପ୍ରବେଶ କରିଥିବା ଜଣାପଡିଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେପଟେ ଆଜି ପାକିସ୍ତାନ ହାଇକମିଶନରଙ୍କୁ ସମନ କରି ଭାରତ ସରକାର ଏହି ସବୁ ତଥ୍ୟ ପ୍ରଦାନ କରି ପାକ୍ ସେନାର କାମକୁ କଡା ନିନ୍ଦା କରିଥିଲେ ।