ଏମିତି ହେବ ବୋଲି ଭାବିନଥିଲା ପାକିସ୍ତାନ ! ପାକ୍ ଯୁଦ୍ଧ ବିମାନକୁ ଘେରିଗଲା ଭାରତର ମିଗ୍ ୨୧ ବିମାନ, ପ୍ରଚଣ୍ଡ ଆକ୍ରମଣକୁ ସାମନା କରି ନ ପାରି ପିଓକେରେ ଖସିପଡିଲା ପାକ୍ ବିମାନ

425

କନକ ବ୍ୟୁରୋ : ଗତକାଲି ଭାରତର ଆକ୍ରମଣ ପରେ ଆଜି ସକାଳୁ ଭାରତୀୟ ସୀମା ଭିତରକୁ ପଶି ଆସିଥିଲା ପାକ୍ ଯୁଦ୍ଧ ବିମାନ । ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ଯୁଦ୍ଧ ବିମାନ ତୁରନ୍ତ ଏହାର ଜବାବ ଦେଇଥିଲା । ସେପଟେ ଏଲଓସି ଆକାଶରେ ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢେଇରେ ନଷ୍ଟ ହୋଇଛି ଏକ ଭାରତୀୟ ମିଗ୍-୨୧ ବିମାନ ।

ବୁଧବାର ସକାଳୁ ଜାମ୍ମୁ-କାଶ୍ମୀର ନୌସେରା ସେକ୍ଟରରେ ଚକ୍କର କାଟିଥିଲା ପାକିସ୍ତାନ ଯୁଦ୍ଧ ବିମାନ । ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ବାୟୁସୀମାକୁ ପଶିଆସିଥିଲେ ୩ଟି ଏଫ-୧୬ ଯୁଦ୍ଧ ବିମାନ । ହେଲେ ବାଲାକୋଟ୍ ଆକ୍ରମଣ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନର, ସବୁପ୍ରକାର ପ୍ରୟାସକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ରହିଥିଲା ଭାରତୀୟ ବାୟୁସେନା । ମଙ୍ଗଳବାର ଭାରତର କୌଣସି ସେନା ଛାଉଣୀ ଉପରେ ଆକ୍ରମଣ କରନିଥିଲେ ବି ପାକିସ୍ତାନ ବାୟୁସେନା ଭାରତୀୟ ସେନା ଶିବିରକୁ କରିଥିଲା ଟାର୍ଗେଟ୍ । ତଥାପି ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ଯୁଦ୍ଧ ବିମାନ ତୁରନ୍ତ ଜବାବ ଦେଇଥିଲା ।

ଭାରତୀୟ ବାୟୁସୀମାରୁ ପାକିସ୍ତାନୀ ଯୁଦ୍ଧ ଯାହାଜକୁ ଘଉଡାଇ ଦେବା ପାଇଁ ପ୍ରତିଆକ୍ରମଣ କରିଥିଲା ବାୟୁସେନାର ଦୁର୍ଦ୍ଧର୍ଶ ମିଗ୍-୨୧ ବିମାନ । ତଥାପି ଏଲଓସିର ୪ଟି ସ୍ଥାନରେ ରକେଟ୍ ମାଡ କରିଥିଲେ ପାକିସ୍ତାନ ଯୁଦ୍ଧ ବିମାନ । ଏଲଓସିର ନାଦିଆଁ, ଲାମ ଜାଙ୍ଗର, କୈରି ଏବଂ ହମିରପୁରରେ ରକେଟ୍ ମାଡ କରିଥିଲା ପାକିସ୍ତାନ । ହେଲେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ଭାରତର ମିଗ୍- ୨୧ ବିମାନ୍ ଆକ୍ରମଣରେ ତଳକୁ ଖସିପଡିଥିଲା ଏକ ପାକିସ୍ତାନୀ ଯୁଦ୍ଧ ବିମାନ । ରକେଟ୍ ମାଡ ପରେ ବିମାନଟି ପାକିସ୍ତାନ ପଟକୁ ଖସିପଡିଥିବା ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ ।

ପୁଲୱାମାରେ ଆକ୍ରମଣ ପରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଆଉକିଛି ଫିଦାଇନ୍ ହମଲା କରିପାରେ ବୋଲି ଗୁଇନ୍ଦା ସୂଚନା ଥିଲା । ତେଣୁ ପାକିସ୍ତାନ ବାଲାକୋଟରେ ଆତଙ୍କୀ ଶିବିର ଉପରେ ଆକାଶମାର୍ଗରୁ ଆକ୍ରମଣ କରି କେବଳ ଆତଙ୍କୀ ଠିକଣାକୁ ଉଡାଇ ଦେଇଥିଲା ଭାରତୀୟ ବାୟୁସେନା । ଆତଙ୍କବାଦ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଥିବାବେଳେ, ଜବାବରେ ଭାରତର ସୈନ୍ୟ ଶିବିରକୁ ଟାର୍ଗେଟ କରିଛି ପାକିସ୍ତାନ । ଭାରତ ମାଟିରେ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି ବାୟୁସେନା । ହେଲେ ଏଲଓସି ଆକାଶରେ ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢେଇରେ ନଷ୍ଟ ହୋଇଛି ଏକ ଭାରତୀୟ ମିଗ୍-୨୧ ବିମାନ । ଏଥିରେ ଜଣେ ବାୟୁସେନା ପାଇଲଟ ନିଖୋଜ ଥିବା ଜଣାପଡିଛି । ପାଇଲଟ ଜଣଙ୍କ ପାକିସ୍ତାନ କବଜାରେ ଥିବା ଦାବି କରିଛି ଇସଲାମାବାଦ । ତେବେ ଏନେଇ ଯାଂଚ କରାଯାଉଥିବା କହିଛି ବିଦେଶିକ ବ୍ୟାବାର ମନ୍ତ୍ରାଳୟ ।

ଉରି ଆକ୍ରମଣ ପରେ ପିଓକରେ ସର୍ଜିକାଲ ଷ୍ଟ୍ରାଇକ୍ । ପୁଲୱାମା ହମଲା ପରେ ପିଓକେ ନିକଟ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ । ପ୍ରତିଥର ଆକଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ । ହେଲେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ପାକିସ୍ତାନ ଏହି ଆକ୍ରମଣରେ ଏମିତି ବିଚଳିତ ହୋଇପଡିଛି ଯେ, ଭାରତ ଆକାଶରେ ଉଡାଇଛି ଯୁଦ୍ଧ ବିମାନ ।