ମହଙ୍ଗା ପଡିଛି ପୁଲୱାମା ଆକ୍ରମଣ ! ବଡ ପରିଣାମ ଭୋଗୁଛି ପାକିସ୍ତାନ, ସୀମାରେ ଅଟକି ରହିଛି ଶହ ଶହ ଟ୍ରକ୍, ଚିନ୍ତାରେ ପାକ୍ ବ୍ୟବସାୟୀ ।
କନକ ବ୍ୟୁରୋ : ମହଙ୍ଗା ପଡିଛି ପୁଲୱାମା ଆକ୍ରମଣ । ପାକିସ୍ତାନ ଭୋଗୁଛି ବଡ ପରିଣାମ । କୌଣସି ଆକ୍ରମଣ କରିନାହିଁ ଭାରତ । ସୀମାରେ ଫୁଟିନାହିଁ ବନ୍ଧୁକ କିମ୍ବା ବୋମା । ତଥାପି ବିଚଳିତ ହୋଇପଡିଛି ପାକିସ୍ତାନ । ପୁଲୱାମା ହମଲାର ବଡ ପରିଣାମ ଭୋଗିଛି ପଡୋଷୀ । ଭାରତ-ପାକିସ୍ତାନ ୱାଘା-ଅଟାରୀ ସୀମାରେ ଅଟକି ରହିଛି ଶହଶହ ପାକିସ୍ତାନୀ ଟ୍ରକ । ଭାରତକୁ ଆସିବାକୁ ଥିବା ଏହସବୁ ସାମଗ୍ରୀ ଗତ ସପ୍ତାହରୁ ଅପେକ୍ଷାରେ ଅଛି । ଜାମ୍ମୁ-କାଶ୍ମୀର ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିଦେବାକୁ ଏକ ବଡ ପଦକ୍ଷେପ ନେଇଛି ଭାରତ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୨୦୦ ପ୍ରତିଶତ ବୃଦ୍ଧି କରିଦେବା ଫଳରେ ଏତେ ଟିକସ ଦେଇ ଭାରତ ମାଟିରେ ପାକିସ୍ତାନ ସାମଗ୍ରୀ ପହଂଚାଇବା ସେଠାକାର ବ୍ୟବସାୟୀଙ୍କ ପାଇଁ ଆଉ ସମ୍ଭବ ହେଉନାହିଁ । କରାଚି ବନ୍ଦରରେ ବି ଛିଡା ହୋଇ ରହିଛି ଟ୍ରକ ଭର୍ତି ସିମେଂଟ୍ । କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ସିମେଂଟ ବ୍ୟବସାୟୀ । ଭାରତ ସରକାରଙ୍କ ଏହି ନିଷ୍ପତି ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତାଜା ଫଳ, ସିମେଂଟ ଓ ତୁଳା ବ୍ୟବସାୟୀ । ବର୍ଷ ବର୍ଷ ଧରି ଭାରତକୁ ଏସବୁ ସାମଗ୍ରୀ ପଠାଇ ମୁନାଫା କମାଉଥିବା ପାକିସ୍ତାନୀ ବ୍ୟବସାୟୀ ଏବେ ମୁଣ୍ଡରେ ହାତଦେଇ ବସିରହିଛନ୍ତି ।
ପାକିସ୍ତାନରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଡନ ନ୍ୟୁଜର ରିପୋର୍ଟ ଅନୁସାରେ, ଭାରତ ସରକାର ଆମଦାନୀ ଶୁଳ୍କ ୨୦୦ ପ୍ରତିଶତକୁ ବୃଦ୍ଧି କରିବାରେ ଭାରତୀୟ ବ୍ୟବସାୟୀ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ସେମାନଙ୍କ ସିମେଂଟ କଂଟେନର ଫେରାଇ ନେବାକୁ କହିଥିଲେ । କରାଚି ବନ୍ଦରରେ ଛିଡା ହୋଇ ରହିଛି ପ୍ରାୟ ୬ଶହରୁ ୮ଶହ କଂଟେନର । କୁହାଯାଉଛି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ କେରଳରେ ପୁନରୁଦ୍ଧାର କାମ ପାଇଁ ୫ହଜାର କୋଟିର ରିହାବିଲିଟେସନ୍ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନରୁ ବହୁ ପରିମାଣରେ ସିମେଂଟ ଆସିବାର ଥିଲା । ହେଲେ ଆମଦାନୀ ଶୁଳ୍କ ବୃଦ୍ଧି ଫଳରେ ନିରାଶ ହୋଇଛନ୍ତି ପାକିସ୍ତାନୀ ସିମେଂଟ ବ୍ୟବସାୟୀ । ଏକ ଆକଳନ କହୁଛି-
ବର୍ଷକୁ ପାକିସ୍ତାନରୁ ଆମଦାନୀ
– ୧୧୨.୮ ମିଲିୟନ ଡଲାର ସିମେଂଟ
– ୬୦.୬ ମିଲିୟନ ଡଲାର କେମିକାଲ
– ୩୪.୯ ମିଲିୟନ ଡଲାର ସାର
– ଏହାଛଡା ଚମଡା ଓ ତୁଳା ଆମଦାନୀ କରେ
ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକ ଘରିକିିଆ କରିବାକୁ ପ୍ରଥମେ ମୋଷ୍ଟ ଫେବର୍ଡ ନେସନ୍ ବା ଅତି ବିଶ୍ୱସ୍ତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କରିଥିଲା ଭାରତ । ଏହାପରେ ଆମଦାନୀ ଶୁଳ୍କ ବଢାଇ ଆର୍ଥିକ ସ୍ତରରେ ଦୁର୍ବଳ କରିଦେବାକୁ ନେଇଥିଲା ବଡ ପଦକ୍ଷେପ । ଯାହାର ପ୍ରଭାବ ପାକିସ୍ତାନରେ ଅନୁଭୂତ ହୋଇଛି ।
ଭାରତର ଏହି ନିଷ୍ପତି ପରେ ହଡବଡେଇ ଯାଇଛି ପାକିସ୍ତାନ । ସୀମାରେ ଭାରତକୁ ପ୍ରବେଶ ପାଇଁ ଅଟକି ରହିଛି ଟ୍ରକ ଟ୍ରକ ଛୁଆଁରା ବା ଏକପ୍ରକାର ଖାଦ୍ୟ ସାମଗ୍ରୀ । ହେଲେ ଆମଦାନୀ ଶୁଳ୍କରେ ଅହେତୁକ ବୃଦ୍ଧି ଯୋଗୁଁ ଏଗୁଡିକ ଭାରତ ମାଟିରେ ପ୍ରବେଶ କରିବା ସମ୍ଭବ ହେଉନାହିଁ । ସେପଟେ ପାକିସ୍ତାନରେ ଭୟାବହ ହେଉଛି ଦରଦାମ ବୃଦ୍ଧି । ଟମାଟୋ ପରି ଏକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର କିଲୋ ପିଛା ଛୁଇଁଛି ୧୮୦ ଟଙ୍କା । କାରଣ ପାକିସ୍ତାନକୁ ଟମାଟୋ ପଠାଇବାକୁ ରାଜି ହେଉନାହାନ୍ତି ଭାରତୀୟ ଚାଷୀ । ଲାହୋରରେ ଟମାଟୋ ଛୁଇଁଛି ୧୮୦ ଟଙ୍କା ।
ପାକିସ୍ତାନର ଟମାଟୋ ଆବଶ୍ୟକତାକୁ ଭରଣା କରିଥାଏ ଭାରତ । ବିଶେଷ କରି ମଧ୍ୟପ୍ରଦେଶରୁ ଟମାଟୋ ରପ୍ତାନୀ ହୋଇଥାଏ ପାକିସ୍ତାନକୁ । ହେଲେ ପୁଲୱାମା ହମଲା ପରେ ପାକିସ୍ତାନ ବିରୋଧରେ ପ୍ରତିଶୋଧର ନିଆଁ ଜଳୁଛି ଭାରତରେ । ପାକିସ୍ତାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାକୁ ରାଜି ହେଉନାହାନ୍ତି ରପ୍ତାନୀକାରୀ । ଟମାଟୋ କିଲୋ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଏହା ୩୦୦ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି । ୟୁରି ହମଲା ପରେ ମଧ୍ୟ ପାକିସ୍ତାନରେ ଟମାଟୋ କିଲୋ ୩୦୦ ଟଙ୍କା ଛୁଇଁଥିଲା । ପୁଣି ଥରେ ସେହି ଅବସ୍ଥା ସୃଷ୍ଟି ହେବା ଆଶଙ୍କା ରହିଛି ।