ପାକିସ୍ତାନ ଖେଳାଳୀଙ୍କୁ ମିଳିଲା ଭିସା ! ଭୁବନେଶ୍ୱରରେ ହେବ କାଣ୍ଟେ କା ଟକ୍କର ।

88

ଭୁବନେଶ୍ବର ହକି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସୃଷ୍ଟି ହୋଇଥିବା ସମସ୍ତ ସଂଶୟ ଶନିବାର ଦୂର ହୋଇଛି । ଋଣବୋଝ ଦଳରେ ଦବି ରହିଥିବା ବିଶ୍ବକପର ସଫଳତମ ଦଳକୁ ନୂଆ ପ୍ରାୟୋଜକ ମିଳିଛି। ସେହିଭଳି ପାକିସ୍ତାନ ଖେଳାଳିଙ୍କ ଆଗରେ ଥିବା ଭିସା ବାଧା ବି ଦୂର ହୋଇଛି । ଭାରତୀୟ ଦୂତାବାସ ପାକିସ୍ତାନ ହକି ଦଳର ଭାରତ ଗସ୍ତକୁ ସବୁଜ ସଂକେତ ଦେଇଛି । ଏହି ଦଳର ଖେଳାଳିଙ୍କ ଭିସା ଆବେଦନକୁ ଆଜି ଦୂତାବାସ ମଞ୍ଜୁର କରିଛି । ଭୁବନେଶ୍ବର ଗସ୍ତ ଲାଗି ପାକିସ୍ତାନ ହକି ଦଳର ନୂଆ ପ୍ରାୟୋଜକ ଆଗୁଆ ୯୦ ଲକ୍ଷ ଟଙ୍କା ଦେଇଛି । ଆମର ଅନେକ ସମସ୍ୟା ଦୂର ହୋଇଯାଇଛି । ହେଲେ ନୂଆ ପ୍ରଶିକ୍ଷକ ତୌକିର ଦାର ଓ ସହକାରୀ ପ୍ରଶିକ୍ଷକ ଦାନିଶ କଲିମଙ୍କୁ ଏବେ ବି ଭାରତୀୟ ଭିସା ମିଳିନାହିଁ । ଏହି ଦୁଇ ଜଣଙ୍କ ଭିସା ଆବେଦନ ବିଳମ୍ବରେ କରାଯାଇଥିଲା ।

ସେମାନଙ୍କୁ ଖୁବଶୀଘ୍ର ଭିସା ମିଳିଯିବ ବୋଲି ଭାରତୀୟ ଦୂତାବାସ ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ହକି ମହାସଂଘ ସଂପାଦକ ଶାହାବାଜ ଅହମ୍ମଦ କହିଛନ୍ତି । ଦୁଇବର୍ଷ ତଳେ ପାକିସ୍ତାନ କନିଷ୍ଠ ହକି ଦଳକୁ ଭାରତ ଭିସା ଦେବାକୁ ମନା କରିଦେଇଥିଲା । ଫଳରେ ଏହି ଦଳ ଭାରତରେ ଆୟୋଜିତ କନିଷ୍ଠ ବିଶ୍ବକପରେ ଅଂଶଗ୍ରହଣ କରି ପାରିନଥିଲା। ଏଥର କିନ୍ତୁ ଏଭଳି ଆଶଙ୍କା ଦୂର ହୋଇଥିବାରୁ ଅହମ୍ମଦ ଖୁସି ଜାହିର କରିଛନ୍ତି । ପାକିସ୍ତାନ ହକି ଦଳ ଦୁଇବର୍ଷ ତଳେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ଚାମ୍ପିଅନ୍ସ ଟ୍ରଫି ହକି ଖେଳିଥିଲା । ସେହି ୮ ଦଳୀୟ ପ୍ରତିଯୋଗିତାରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଅବଶ୍ୟ ହାରି ଯାଇଥିଲା । ତେବେ ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ଅଶାଳୀନ ବ୍ୟବହାର ପାଇଁ ବିବାଦ ଦେଖା ଦେଇଥିଲା । ଦଳର ଜଣେ ଖେଳାଳି ବାସନ୍ଦ ହେବା ସହ ଅନ୍ୟ ଦୁଇ ଜଣଙ୍କୁ ଏଫଆଇଏଚ୍ ଅର୍ଥଦଣ୍ଡ ଦେଇଥିଲା ।