ଗୁଜୁରାଟ ନିର୍ବାଚନରେ ପାକ କନେକସନ ! ପାକିସ୍ତାନ ବିଦେଶ ମନ୍ତ୍ରାଳୟର ସଫେଇ,ବିବାଦରେ ଆମକୁ ସାମିଲ କରାନଯାଉ ।

20

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନରେ ପାକ କନେକ୍ସନ ନେଇ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁହଁ ଖୋଲିଛି । ଘଟଣାରେ ଇସଲାମାବାଦକୁ ସାମିଲ କରାଯିବା ନେଇ ବୈଦେଶିକ ମନ୍ତ୍ରଣାଳୟ ଟ୍ୱିଟ କରିଛି । ଏଥିରେ କୁହାଯାଇଛି , ଘଟଣାରେ ପାକିସ୍ତାନକୁ ସାମିଲ କରାଯିବା ବନ୍ଦ କରାଯାଉ ଓ ନିଜସ୍ୱ କ୍ଷମତାରେ ନିର୍ବାଚନ ଲଢାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ , ପାକିସ୍ତାନ ଗୁଜରାଟ ନିର୍ବାଚନରେ ହସ୍ତ କ୍ଷେପ କରିବାକୁ ଉଦ୍ୟମ କରୁଛି । ଏପରିକି ବିରୋଧୀ ଦଳର ନେତାମାନେ ଏ ବାବଦରେ ପାକିସ୍ତାନର ଅଧିକାରୀଙ୍କ ସହ ଗୁପ୍ତ ବୈଠକ ମଧ୍ୟ କରିଛନ୍ତି ।
ମୋଦି କହିଥିଲେ, ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାକିସ୍ତାନ ସହ ମିଶି ଚକ୍ରାନ୍ତ କରୁଛି କଂଗ୍ରେସ । ସେପଟେ ବିମୁଦ୍ରାକରଣ ଓ ଜିଏସଟିକୁ ନେଇ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ରାହୁଲ ।

ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପରେ ଏବେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ସରଗରମ ହୋଇଛି ପ୍ରଚାର । ଗୁଜରାଟ ପାଲନପୁରରେ ମଣିଶଙ୍କର ଆୟାର ଓ କଂଗ୍ରେସ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି, ଗୁଜରାଟରେ ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାକିସ୍ତାନ ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପାକିସ୍ତାନ ହାଇକମିସନରଙ୍କ ସହ ମଣିଶଙ୍କର ଆୟାର କାହିଁକି ଗୁପ୍ତ ବୈଠକ କରିଥିଲେ, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ମୋଦି ।

ଦ୍ୱିତୀୟ ପର୍ୟ୍ୟାୟରେ ଗୁଜରାଟର ୧୪ ଜିଲ୍ଲାର ୯୩ଟି ଆସନରେ ଭୋଟଗ୍ରହଣ ହେବ । ଏହିସବୁ ଆସନକୁ ହାତେଇବାକୁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦେଶର ଦୁଇ ପ୍ରମୁଖ ଦଳ । ଏହାରୀ ଭିତରେ ଚରମ ସୀମାରେ ପହଁଚିଛି ଆରୋପ ପ୍ରତ୍ୟାରୋପର ରାଜନୀତି ।