ପ୍ରତିଶ୍ରୁତି ପାଳନ କଲେନି ସରକାର ! କ୍ଷତିପୂରଣ ଦାବି ଭୁବନେଶ୍ୱରରେ ପହଂଚିଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଫାଇଲିନ ମଂଚର ପଦଯାତ୍ରା

36

କନକ ବ୍ୟୁରୋ: ସରକାର ପ୍ରତିଶ୍ରୃତି ପାଳନ କରିନଥିବା ଅଭିଯୋଗରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଭୁବନେଶ୍ୱରରେ ପହଂଚିଛି । ଚିଲିକାରୁ ଆନ୍ଦୋଳନ ଆରମ୍ଭ କରିଛି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ ମଂଚ । ୨୦୧୩ ମସିହାରେ ଫାଇଲିନ ବାତ୍ୟାରେ ପୁରୀ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ୨ଟି ବ୍ଲକରେ ୧୪ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ ସରକାର ବାସହରାଙ୍କୁ ବାତ୍ୟା ନିରୋଧ ଘର ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଏହା ଏଯାଏଁ ପାଳନ ହୋଇନାହିଁ । ଏହାର ପ୍ରତିବାଦରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଫାଇଲିନ କ୍ଷତିଗ୍ରସ୍ତ ପାଇକ. କୃଷକ ଓ ମତ୍ସ୍ୟଜୀବୀ ପରିବାର ପଦଯାତ୍ରା କରୁଛି । ଏହି ପଦଯାତ୍ରା ଏବେ ଭୁବନେଶ୍ୱରରେ ପହଂଚିଥିବା ବେଳେ ବିଧାନସଭା ଯିବ । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ତେବେ ନିଷ୍ପତି ଅନୁଯାୟୀ ପ୍ରାୟ ୨୫୪ ବର୍ଗ ଫୁଟ ଅଞ୍ଚଳ ବିଶିଷ୍ଟ ଜମିରେ ପକ୍କା ଘର ତିଆରି କରି ଦେବାପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଜଣେ କ୍ଷତିଗ୍ରସ୍ତ ପରିବାରକୁ ପ୍ରାୟ ୩ ଲକ୍ଷ ଟଙ୍କା ବଜେଟ ମଧ୍ୟ ହୋଇଥିଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଏନେଇ କିଛି ଶୁଣୁନାହାଁନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଫାଇଲିନ୍ କ୍ଷତିଗ୍ରସ୍ତ ପାଇକ, କୃଷକ ଓ ମତ୍ସ୍ୟଜୀବୀ ସଂଗଠନ ଓଡିଆରପି କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିବା ପାଇଁ ସଂଗଠନ ନିଷ୍ପତ୍ତି ନେଇ ଗତ ୬ ତାରିଖରୁ କୃଷ୍ଣପ୍ରସାଦ ମାଲୁଦ ଅଞ୍ଚଳ ହନୁମାନ ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ସଭାପତି ଟୁନା ସ୍ୱାଇଁ, ସମ୍ପାଦକ ସୁବାଷ ଚନ୍ଦ୍ର ଜେନାଙ୍କ ନେତୃତ୍ଵରେ ଗତ କାଲି ରାତି ପ୍ରାୟ ସାଢ଼େ ତିନିଟାରୁ ରେବଣା ନୂଆଗାଁରୁ ବାହାରିଥିଲେ ।

ଏହି ପଦଯାତ୍ରୀମାନେ ତଳଜଙ୍ଗଠାରେ ପ୍ରାୟ ପୂର୍ବାହ୍ନ ସାଢ଼େ ଆଠଟାରେ ପହଞ୍ଚି ସେଠାରେ ଜଳପାନ କରି ସାଢ଼େ ଏଗାରଟା ସମୟରେ ମାଳତୀପାଟପୁର ଷ୍ଟେସନ ପାଖରେ ପହଞ୍ଚିଥିଲେ । ଏହିଠାରେ ସେମାନଙ୍କୁ ଚନ୍ଦନପୁର ଥାନା ପୁଲିସ ଅଟକାଇ ଦେଇଥିଲା । ଶୋଭାଯାତ୍ରାରେ ଯିବା ପାଇଁ ପୁଲିସ ଅନୁମତି ନେଇନଥିବା କହି ପୁଲିସ ତାଙ୍କୁ ଅଟକାଇଥିଲା । ତେବେ ଦୀର୍ଘ ୨ ଘଣ୍ଟା କାଳ ପୁଲିସ ଅଟକାଇବା ଖବର ପାଇ ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିଥିଲେ । ତେଣୁ ଭାବମୂର୍ତ୍ତିରେ ଦାଗ ଲାଗିବା ଭୟରେ ପୁଲିସ ବାଧ୍ୟ ହୋଇ ବିଭିନ୍ନ ଆଳ ଦେଖାଇ ଏହି ପଦଯାତ୍ରୀମାନଙ୍କୁ ଛାଡ଼ିଥିଲେ । ଏହାପରେ ସେମାନେ ପିପିଲିସ୍ଥିତ ହନୁମାନ ମନ୍ଦିରରେ ବିଶ୍ରାମ ନେଇ ସେଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।