ଅପରେସନ୍ ପାମ୍ପରରେ ପୂର୍ଣ୍ଣଛେଦ : ଦୁଇ ଆତଙ୍କବାଦୀଙ୍କୁ ହତ୍ୟାକରି ଇଡିଆଇ କଂପ୍ଳେକ୍ସକୁ କବଜା କଲା ସେନା

50

କନକ ବ୍ୟୁରୋ : ୫୬ ଘଂଟାର ଏନକାଉଂଟର ପରେ ଇଡିଆଇ କମ୍ପେ୍ଲକ୍ସକୁ କବଜାକୁ ନେଇଛି ସେନା । ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଟାକ୍ ଓ କାଉଂଟର ଆଟାକରେ ୩ ଦିନ କମ୍ପିଛି ପୁରା ପରିବେଶ । ସରକାରୀ ବିଲ୍ଡିଂକୁ ବିଶେଷ କ୍ଷତି ନକରି ଆତଙ୍କବାଦୀଙ୍କୁ ହତ୍ୟା କରିବା ଯବାନଙ୍କ ପ୍ରାଥମିକତା ଥିଲା । ତେଣୁ ଗୁଳି ଓ ମୋର୍ଟାର ମାଡ ସହ ପାରା କମାଣ୍ଡୋଙ୍କ ସହାୟତାରେ ଅପରେସନ ଶେଷ କରିଛି ସେନା ।

ସୋମବାର ଭୋରରେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ପାମ୍ପୋର ଏଂଟରପ୍ରିନିୟରସିପ ଡେଭଲପମେଂଟ ଇନଷ୍ଟିଚ୍ୟୁଟ କମ୍ପେ୍ଲକ୍ସରେ ପ୍ରବେଶ କରିଥିଲେ ଆତଙ୍କବାଦୀ । ଏହାପରେ ସୋମବାର ସକାଳ ପ୍ରାୟ ୬ଟାରୁ ଅପରେସନ ଆରମ୍ଭ କରିଥିଲା ଭାରତୀୟ ସେନା । ପାରା କମାଣ୍ଡୋଙ୍କୁ ମଧ୍ୟ ଏନକାଉଂଟରରେ ସାମିଲ କରାଯାଇଥିଲା । ୧୨୦ ବଖରା ବିଶିଷ୍ଟ ଏହି ବିଲ୍ଡିଂରେ ୩ଦିନ ଧରି ଚାଲିଲା ଅପରେସନ ।

ଆତଙ୍କବାଦୀମାନେ ପ୍ରଥମେ ବିଲ୍ଡିଂରେ ପଶି ନିଆଁ ଲଗାଇ ଦେଇଥିଲେ । ଧୁଆଁ ଦେଖାଦେବାର କିଛି ସମୟ ମଧ୍ୟରେ ପୋଜିସନ ନେଇଯାଇଥିଲେ ଯବାନ । ଚାରିପଟୁ ଘେରି ଗୁଳିମାଡ କରିବା ସହ ବିଲ୍ଡିଂ ଛାତ ଉପରେ ଓହ୍ଲାଇଥିଲେ ଯବାନ । ମୋର୍ଟାର ଓ ରକେଟ ମାଡ ବି କରାଯାଇଥିଲା । ପୂର୍ବରୁ ମଧ୍ୟ ଇଡିଆଇ କମ୍ପେ୍ଲକ୍ସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଗତ ଫେବ୍ରୁଆରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଆତଙ୍କବାଦୀଙ୍କ ସମେତ ୪ ସୁରକ୍ଷାକର୍ମୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।