କେବଳ ଅନଲାଇନରେ ମିଳିବ ହକି ବିଶ୍ବକପ୍ ଉଦଘାଟନୀ ଟିକେଟ୍ : ପାସର କୌଣସି ବ୍ୟବସ୍ଥା ନାହିଁ

98

କନକ ବ୍ୟୁରୋ : ହକି ବିଶ୍ବକପ୍ ଯେତିକି ପାଖେଇ ଆସୁଛି ପ୍ରଶଂସକ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ସେତିକି ବଢ଼ି ଚାଲିଛି । ବିଶ୍ବକପ୍ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୨୭ ତାରିଖର ଉଦଘାଟନୀ ଉତ୍ସବ ଲାଗି ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଆଗ୍ରହ ପରିଲକ୍ଷିତ ହୋଇଛ ।

କାରଣ ପୂର୍ବରୁ ଘୋଷିତ ତାଲିକା ଅନୁସାରେ ବଲିଉଡ୍ ତାରକା ଶାହାରୁଖ ଖାନ, ଓସ୍କାର ବିଜେତା ସଂଗୀତଜ୍ଞ ଏଆର ରହମାନଙ୍କ ସହିତ ଗୀତିକାର ସେଖ୍ ଗୁଲଜାରଙ୍କ କାର୍ଯ୍ୟକ୍ରମ ରହିଛି । ଏହି ୩ ପ୍ରମୁଖ ନାମ ସହିତ ଆଉ ଏକ ବଡ଼ ନାମ ଯୋଡ଼ି ହେବାକୁ ଯାଉଛି । ସୂଚନା ଅନୁସାରେ ବଲିଉଡ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅନ୍ୟତମ ଆକର୍ଷଣ ପାଲଟିବେ । ଯେଉଁ ମୁଖ୍ୟ କଥାବସ୍ତୁ ଉପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ତାହାର ମୁଖ୍ୟ ଚରିତ୍ର ‘ଭୂ ଦେବୀ’ ଭୂମିକାରେ ମାଧୁରୀ ଦୀକ୍ଷିତ ରହିବେ।

ତେବେ ଉଦଘାଟନୀ ଉତ୍ସବ ପାଇଁ ଟିକେଟ୍ କେବଳ ଅନଲାଇନରେ ବିକ୍ରି ହେବ । କାଉଣ୍ଟର୍ ବା ଅଫଲାଇନରେ ଆଦୌ ବିକ୍ରି ହେବ ନାହିଁ । ଏପରି କି କୌଣସି ପାସ୍ ପ୍ରଦାନର ବ୍ୟବସ୍ଥା କରାଯାଇ ନାହିଁ । ଉଦଘାଟନୀ ଉତ୍ସବ ଦେଖିବା ଲାଗି ଆଗ୍ରହୀ ବ୍ୟକ୍ତି ବିଶେଷ କେବଳ www.ticketgenie.in ରୁ କିଣି ପାରିବେ । ଉଦଘାଟନୀ ଉତ୍ସବ ମଞ୍ଚ ନିର୍ମାଣ କାରଣରୁ ପ୍ରାୟ ୧୦,୦୦୦ ଟିକେଟ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ସରକାରୀ ଭାବେ ସୂଚନା ଦିଆଯିବ। ଗୁରୁବାର ଟିକେଟ୍ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା ହେବା ପରେ ଶୁକ୍ରବାର ସଚିବାଳୟରେ ଆୟୋଜିତ ହକି ବିଶ୍ବକପ୍ ପରିଚାଳନା ପରିଷଦ ବୈଠକ ଶେଷରେ ଏଭଳି ସୂଚନା ଦିଆଯାଇଛି ।