ବରଗଡ଼ ଡୁବେନପାଲିରେ ବିଜୁ ସେତୁ ଭୁଶୁଡିବା ଘଟଣା ! ଜେଇ ଓ ଏସଡିଓ ଗିରଫ

34

କନକ ବ୍ୟୁରୋ : ବରଗଡ଼ ବ୍ରିଜ ଭୁଷୁଡିବା ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ । ଏସଡିଓ କମଳକାନ୍ତ ତରିଆ ଓ ଜେଇ ମନୋରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ । ବରଗଡ଼ ଥାନାରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି । ସେପଟେ ଗ୍ରାମ୍ୟଉନ୍ନୟନ ବିଭାଗର ଏକ ଟିମ ଆଜି ତଦନ୍ତ ପାଇଁ ପହଂଚିଛନ୍ତି ।

ସୂଚନା ମୁତାବକ, ଭୁବନେଶ୍ୱର ପରେ ବରଗଡ଼ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଡୁବେନପାଲିରେ ଗତକାଲି ଭୁଶୁଡି ପଡିଥିଲା ଜିରା ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଥଲା । ଗତକାଲି ସ୍ଲାବ ପଡୁଥିବାବେଳେ ହଠାତ ଭୁଶୁୁଡି ଯିବାରୁ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୪ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପରେ ୪ ଜଣଙ୍କୁ ଛାଡିଦିଆଯାଇଛି । ଜିଲ୍ଲାପାଳ ହସପିଟାଲ ଯାଇ ଆହତଙ୍କୁ ଭେଟିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଛି ।

ଅନ୍ୟପଟେ, ବରଗଡ଼ ଡୁବେନପାଲିରେ ବିଜୁ ସେତୁ ଭୁଶୁଡିବା ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଟ୍ୱିଟରେ ପୋଲ ଓ ଫ୍ଲାଏଓଭର ଯାଂଚ ପାଇଁ ମତ ଦେଇଛନ୍ତି ବୈଜୟନ୍ତ । ନିର୍ମାଣଧିନ ଓ ନବନିର୍ମିତ ପୋଲ ଓ ଓଭରବ୍ରିଜର ଯାଂଚ ହେଉ ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ଏହାସହ ଯାଂଚ ପାଇଁ ଟାସ୍କ ଫୋର୍ସ ଗଠନ ପାଇଁ ଗୁରୁତ୍ୱ ଦେଇଛନ୍ତି ବୈଜୟନ୍ତ । ନବନିର୍ମିତ ପୋଲ ଓ ଫ୍ଲାଏଓଭରର ଟାସ୍କ ଫୋର୍ସ ଦ୍ୱାରା ଯାଂଚ କରାଗଲେ ଏହା ସୁରକ୍ଷିତ ରହିବ ବୋଲି ସେ ଟ୍ୱିଟ୍ କରିଛନ୍ତି ।