ଜମିଲା ପ୍ରଚାର ! ୭୦ ଏମଏମ ସିଲଭର ସ୍କ୍ରିନରୁ ବାହାରି ଗାଁ ଦାଣ୍ଡରେ ଓଲିଉଡ ଷ୍ଟାର । ବିଜେଡି-ବିଜେପିର ନୂଆ ନାଁ ଦେଲା କଂଗ୍ରେସ

37

କନକ ବ୍ୟୁରୋ : ପ୍ରଚାରରେ ପଛରେ ପଡିଯାଉଥିବା ଚର୍ଚ୍ଚା ଭିତରେ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ । ବିଜେଡିକୁ ଯାତ୍ରା ଦଳ ଓ ବିଜେପିକୁ ଯାତ୍ରା ପାର୍ଟି କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି କଂଗ୍ରେସ ଛାମୁଆ ନେତା । ଏପଟେ ସେଭେନଟି ଏମ୍ଏମ୍ ସିଲଭର ସ୍କ୍ରିନରୁ ବାହାରି ବିଜେପୁର ପ୍ରଚାର ପଡିଆରେ ପହଂଚିଛନ୍ତି ଅଭିନେତା ଅରିନ୍ଦମ । ଆଉ ଭୁବନେଶ୍ୱରରେ ବିଜେପୁର ବାଜି ଜିତିବାକୁ ଦମ୍ଭୋକ୍ତି କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ସେପଟେ ମୋଦିଙ୍କ କ୍ୟାବିନେଟ୍ର ଆଦିବାସୀ ଚେହେରା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ୍ ।

bijepurବିଜେଡିକୁ ଯାତ୍ରା ଦଳ ଓ ବିଜେପିକୁ ଯାତ୍ରା ପାର୍ଟି କହିଲା କଂଗ୍ରେସ । ବିଜେପୁରରେ ହେଭିୱେଟ୍ ନେତାଙ୍କ ପ୍ରଚାର ଦୃଷ୍ଟିରୁ କଂଗ୍ରେସ ପଛରେ ପଡିଯାଇଥିବା ଚର୍ଚ୍ଚା ଭିତରେ କ୍ୟାମ୍ପେନିଂକୁ ଜୋରଦାର କରିଛି କଂଗ୍ରେସ । ପ୍ରଣୟ ସାହୁଙ୍କ ପାଇଁ ଦଳର ସମସ୍ତ ଛାମୁଆ ନେତାଙ୍କ ଭିଡ ଜମିଛି ବିଜେପୁରରେ । ଗଡ ରକ୍ଷା ପାଇଁ ଏକଜୁଟ ହୋଇଛି ଦଳ । କାନ୍ଧରେ କାନ୍ଧରେ ମିଶାଇ ଜୋରଦାର ଚାଲିଛି ପ୍ରଚାର । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପରି ତୁଙ୍ଗ ନେତା ଗାଁଗାଁ, ଘରଘର ବୁଲି ଭୋଟ ମାଗିଛନ୍ତି । ସଭା, ରୋଡ ଶୋ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କୁ କରିଛନ୍ତି କଡା ସମାଲୋଚନା । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ ନେଇ ଚର୍ଚ୍ଚା ଭିତରେ ନବୀନ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର ।

ଗୋଟିଏ ପଟେ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରି ଉଭୟ ବିଜେଡି ଓ ବିଜେପିକୁ କଡା ଚ୍ୟାଲେଞ୍ଜ ଦେଉଥିବାବେଳେ ସିନେ ତାରକାଙ୍କ ଶୋ ଜାରି ରଖିଛି ବିଜୁ ଜନତା ଦଳ । ଅନୁଭବ ଓ ଆକାଶଙ୍କ ପରେ ଅଭିନେତାରୁ ନେତା ବନିଥିବା ଅରିନ୍ଦମଙ୍କୁ ଦେଖିବାକୁ ମିଳିଛି ବିଜେପୁର ଗାଁ ଦାଣ୍ଡରେ । ୭୦ ଏମଏମ ସିଲଭର ସ୍କ୍ରିନରୁ ବାହାରି ଆସି ସିଧା ପହଂଚିଯାଇଛନ୍ତି ବିଜେପୁରର ପ୍ରଚାର ପଡିଆରେ । ଦଳୀର ପ୍ରାର୍ଥୀ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ବାଜି ଜିତିବାକୁ ବିଜେପୁରରେ ବିଜେଡି ତାର ସବୁ କଳ କୌଶଳ ଲଗାଇ ଦେଇଛି । ପ୍ରତିଦିନ ନୂଆ ତାରକାଙ୍କୁ ଦେଖିବାକୁ ମିଳୁଛି ବିଜେପୁର ଗାଁ ଦାଣ୍ଡରେ ।

ଭାରତୀୟ ଜନତା ପାର୍ଟି ମଧ୍ୟ ସିନେ ତାରକାଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବିଜେପୁର ପଠାଇ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଜିତାଇବା ଲାଗି ପୁରା ଦମ ଲଗାଇଦେଇଛି । ଗତ କିଛିିଦିନ ଧରି ବିଜେପୁରର ବିଭିନ୍ନ ବ୍ଲକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭା ଓ ରୋଡ ଶୋ ପରେ ପ୍ରଚାର ମୈଦାନରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୋଦିଙ୍କ କ୍ୟାବିନେଟର ଏହି ଆଦିବାସୀ ଚେହେରା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଜୁଟାଇବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି ।