ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଏଣିକି ଆରଟିଆଇ ଅଧୀନରେ ଆସିବ ମୁଖ୍ୟ ବିଚାରପତିଙ୍କ ଅଫିସ୍ ।

532

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଫିସ ଏକ ସର୍ବସାଧାରଣ ପ୍ରତିଷ୍ଠାନ, ଏଣୁ ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ବୋଲି ନିଜେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ । ତେବେ ସୂଚନା ଅଧିକାର ଆଇନରେ ପ୍ରଧାନ ବିଚାରପତିଙ୍କ ଅଫିସ ଆସୁଥିଲେ ମଧ୍ୟ ଏହାର ଗୋପନୀୟତା ବଜାୟ ରହିବ ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ସମ୍ବିଧାନିକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଏହି ବେଞ୍ଚରେ ଥବା ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ଏନଭି ରମନ୍ନା, ଡିଓ୍ଵାଇ ଚନ୍ଦ୍ରଚୂଡ, ଦୀପକ ଗୁପ୍ତା ଓ ସଂଜୀବ ଖନ୍ନା ।

୧୦ ଜାନୁୟାରୀ, ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଥିଲେ ଯେ ପ୍ରଧାନ ବିଚାରପତିଙ୍କ ଅଫିସ ଆରଟିଆଇ ଆଇନ ଅଧିନରେ ଆସୁଛି । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ନ୍ୟାୟିକ ସ୍ୱାଧୀନତା ବିଚାରପତିଙ୍କ ବିଶେଷାଧିକାର ନୁହେଁ, ବରଂ ତାଙ୍କର ଉତ୍ତରଦାୟିତ୍ୱ । ଗତ ୨୦୧୦ରେ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଓ ଏହାର ଜନ ସୂଚନା ଅଧିକାରୀ ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ମାମଲା ଆଗତ କରିଥିଲେ । ଗତ ଏପ୍ରିଲ ୪ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଥିଲେ ।

ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଜନସାଧାରଣଙ୍କ ନିକଟକୁ ଏହି ବାର୍ତ୍ତା ଯିବ ଯେ, ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ଏପରିକି ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ନୁହଁନ୍ତି । ୨୦୦୭ରେ ସୂଚନା ଅଧିକାର କର୍ମୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ବିଚାରପତିଙ୍କର ସମ୍ପତି କେତେ ଜାଣିବାକୁ ଚାହିଁଥିଲେ । ସେତେବେଳେ ସୁବାଷଙ୍କୁ ଏ ସର୍ମ୍ପର୍କିତ କୌଣସି ସୂଚନା ଦିଆଯାଇନଥିଲା । ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା । ୨୦୧୦ରେ ଏହାର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଅଫିସ୍ ଆରଟିଆଇ ଆଇନ ଅଧିନରେ ଆସୁଥିବା ନେଇ ରାୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହାକୁ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଉ ଆଜି ଏହାର ଶୁଣାଣି କରି ପ୍ରଧାନବିଚାରପତିଙ୍କ ଅଫିସ୍ ଆରଟିଆଇ ଅର୍ନ୍ତଭୁକ୍ତ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ।