ଓଡିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ : ସ୍ୱାଧୀନତା ସଂଗ୍ରାମରେ ଓଡିଆ ମହିଳାଙ୍କ ଯୋଗଦାନ 

510

ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହି ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରିଥିଲା । ଏହି ମହାନ ଲୋକମାନେ ନିଜର ତନ-ଧନ-ମନ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ସବୁ କିଛି ଭେଟି ଦେଇ ଦେଇଥିଲେ । ସେମାନେ ତାଙ୍କ ପରିବାର, ଘର-ଦ୍ୱାର,ଦୁଖ-ସୁଖକୁ ଭୁଲି ନିଜର ପ୍ରାଣକୁ ଦେଶର ସ୍ୱାଧୀନତା ପାଇଁ ହରାଇ ଥିଲେ । ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । କେବଳ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ଆମ ଦେଶ ସ୍ୱାଧୀନରେ ସାମିଲ ହୋଇନଥିଲେ, ବରଂ ଏମିତି ଅନେକ ମହିଳା ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସଲାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ।

କୁନ୍ତଳା କୁମାରୀ ସାବତ : 

ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ବ୍ୟତୀତ ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।

ରମା ଦେବୀ : 

୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ ସାଧାରଣ ସମାବେଶରେ ଯୋଗ ଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ ।  ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ଓ ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।

୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ୟ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ “ବରି ଆଶ୍ରମ’ । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା’ ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ ହେବା ପରେ ବହୁ ଜନ ନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।

ସରଳା ଦେବୀ : 

୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା – “ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ ।’ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ ।

ମାଳତୀ ଚୌଧୁରୀ : 

ବାହା ହେବାପରେ ସେ ଓଡ଼ିଶାରେ ବସବାସ କରୁଥିଲେ ଓ ଓଡ଼ିଶା ତାଙ୍କର କର୍ମଭୂମି ପାଲଟିଥିଲା । ଚୌଧୁରୀ ଦମ୍ପତି ଏକ ଛୋଟ ଗାଁ ଅନଖିଆରେ ବସବାସ କରୁଥିଲେ, ଯାହା ଏବେକାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ । ସେଠାରେ ନବକୃଷ୍ଣ ଚାଷବାସ ଆରମ୍ଭ କରିଥିଲେ ଓ ଆଖୁର ଫସଲ ଉତ୍ପାଦନ ବଢ଼ାଇବା ଉପରେ କାମ କରୁଥିଲେ । ଚାଷ ଛଡ଼ା ଆଖପାଖ ଗାଁମାନଙ୍କ ସହ ସହଯୋଗ ବଢ଼ାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ସେ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଯେ କିଶୋରୀ ବୟସରେ ସ୍ୱାଧିନତା ସଂଗ୍ରାମରେ ଭାଗ ନେଇଥିଲେ। ୧୯୨୦ ମସିହା ଅସହେଯାଗ ଆନ୍ଦୋଳନରେ ସେ ଭାଗ ନେଇଥିଲେ। ନିଜର ପ୍ରେଚଷ୍ଟାରୁ ସେ ଇଞ୍ଚୁଡ଼ି ଓ କୁଞ୍ଜଗରୁ ପ୍ରଥମେ ଶହେରୁ ଉଦ୍ଧ୍ୱ’ ମହିଳାଙ୍କୁ ଆଣି ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ। ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ।