ପାଣି ଶୋଷି ନେଉଛି ପଡୋଶୀ ! ପୁରୁଣା ଟନେଲ୍ ଖୋଲିଦେବାରୁ ଆନ୍ଧ୍ରକୁ ବହିଯାଉଛି ପାଣି, ଖରା ପୂର୍ବରୁ ଶୁଖି ଯାଇପାରେ ବାଲିମେଳା ଡ୍ୟାମ୍

54

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ଛତିଶଗଡ଼ ସହ ଟଣାଓଟରା ଲାଗିି ରହିଥିବା ବେଳେ ବାଲିମେଳା ଜଳଭଣ୍ଡାର ପାଣି ଶୋଷି ନେଇଯାଉଛି ଆନ୍ଧ୍ର । ଦୁଇ ମାସ ଧରି ବାଲିମେଳା ଜଳଭଣ୍ଡାର ଟନେଲ ଖୋଲି ଆନ୍ଧ୍ର ଅନବରତ ପାଣି ନେଉଥିବା ବେଳେ କାହାରି ଚିନ୍ତା ନାହିଁ । ଖରା ଦିନ ଆସିବା ପୂର୍ବରୁ ଶୁଖିଲା ପଡିଲାଣି ବାଲିମେଳା ଜଳ ଭଣ୍ଡାର । ସ୍ଥିତି ଏପରି ସଂଗୀନ ହେଲାଣି ଆଗକୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଚ୍ଛିନ୍ନାଂଚଳ ସହ ଯୋଗାଯୋଗ କରୁଥିବା ମୋଟର ଲଂଚ ଚଳାଚଳକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଅନବରତ ବୋହି ଚାଲିଛି ଜଳଭଣ୍ଡାର ପାଣି । ବାଲିମେଳା ଜଳ ଭଣ୍ଡାରର ଏକ ପୁରୁଣା ଟନେଲ ଖୋଲାଯାଇଥିବାରୁ ପ୍ରାୟ ୩ ହଜାର କ୍ୟୁସେକ୍ ପାଣି ଚାଲିଯାଉଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ । ଚିତ୍ରକୋଣ୍ଡାଠାରେ ଏକ ସ୍ପିଲେଓ ଜରିଆରେ ଆନ୍ଧ୍ରକୁ ତାହାର ଭାଗ ଦିଆଯାଇଥାଏ । ସ୍ପିଲେଓ ରେ ସୃଷ୍ଟି ହୋଇଥିବା ଫାଟ ମରାମତି ହେଉଥିବା ବେଳେ ଆନ୍ଧ୍ରକୁ ୪୫ ବର୍ଷର ପୁରୁଣା ଟନେଲ ଖୋଲି ଅନୁକମ୍ପା ଦେଖାଇଥିଲେ କିଛି ଅଧିକାରୀ । ହେଲେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଟନେଲର ସ୍ଲୁଇସ ଗେଟ ଆଉ ବନ୍ଦ ହେଉ ନ ଥିବାରୁ ସାଂଘାତିକ ସ୍ଥିତି ଉପୁଜିଥିବା ଜଣା ପଡିଛି । ବାଲିମେଳା ଜଳ ଭଣ୍ଡାରରେ ବିଦ୍ୟୁତ ଉତ୍ପାଦନ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଜଳ ସ୍ତର ୧୪୪୦ ଫୁଟକୁ ଖସି ଆସିଲେ ଜଳଭଣ୍ଡାରର ପାଣି ଓଡ଼ିଶା କିମ୍ବା ଆନ୍ଧ୍ର କେହି ବ୍ୟବହାର କରିପାରିବେ ନାହିଁ । ନାଁ ହୋଇପାରିବ ବିଦ୍ୟୁତ ଉତ୍ପାଦନ ନା ହେବ ଜଳ ସେଚନ । ଏବେ ଜଳ ଭଣ୍ଡାରର ଜଳ ସ୍ତର ୧୪୫୮ ଫୁଟକୁ ଖସି ଆସିଛି । ୫ ଦଶନ୍ଧି ଧରି ଜଳସ୍ତର ୧୪୬୦ ଫୁଟରୁ କେବେ ବି କମ ହୋଇ ନ ଥିଲା । ଆନ୍ଧ୍ର୍ର ସରକାରଙ୍କ କେବଳ ଗୋଟିଏ ଚିଠି ଆଧାରରେ ଉପରିସ୍ଥ ଅଧିକାରୀଙ୍କ ଅଜାଣତରେ ଟନେଲ ଖୋଲିଥିବା ଅଧିକାରୀ ଏବେ ହରଡଘଣାରେ ପଡିଛନ୍ତି । ଖୁବ ଶୀଘ୍ର ଟନେଲ ବନ୍ଦ ହେବ ଏବଂ ମାଛକୁଣ୍ଡ ଜଳଭଣ୍ଡାରରୁ ଜଲାପୁଟ ନାଳ ଦେଇ ବାଲିମେଳା ଜଳଭଣ୍ଡାରକୁ ପାଣି ଅଣାଯିବ କହିଛନ୍ତି ପୋଟେରୁ ଇରିଗେସନ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।