ତିତଲି ପାଇଁ ସହାୟତା ରାଶି ପ୍ରଦାନରେ ପାତରଅନ୍ତର ! ଆନ୍ଧ୍ରକୁ ମିଳିଲା ସତ ଓଡ଼ିଶାକୁ ମିଳିଲାନି

106

କନକ ବ୍ୟୁରୋ : କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ତମ୍ବିତୋଫାନ କରୁଥିବା ବେେଳ ଆଜି ଏହି ଆନ୍ଦୋଳନକୁ ଖୋରାକ ମିଳିଛି । ତିତ୍‌ଲି ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ଅନୁଧ୍ୟାନ କରିବା ଏକ ମାସରୁ ଊର୍ଦ୍ଧ୍ବ ହୋଇ ଯାଇଥି‌ଲେ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଘୋଷଣା କରାଯାଇନାହିଁ । କିନ୍ତୁ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ବନ୍ୟା, ଭୂସ୍ଖଳନ ଓ ତିତିଲି ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଯଥାକ୍ରମେ କେରଳ, ନାଗାଲାଣ୍ଡ୍‌ ଓ ଆନ୍ଧ୍ରପ୍ରଦେଶକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇଁ ଅର୍ଥରାଶି ମଂଜୁର କରାଯିବା ସୂଚନା ମିଳିଛି ।

ଉଚ୍ଚସ୍ତରୀୟ କମିଟି ଏନ୍‌ଡିଆରଏଫ୍‌ରୁ ଅତିରିକ୍ତ ସହାୟତା ପାଇଁ ମଂଜୁରି ପ୍ରଦାନ କରିଛନ୍ତି । ତିତ୍‌ଲି କ୍ଷୟକ୍ଷତି ପାଇଁ ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବ । ସେହିଭଳି କେରଳକୁ ବନ୍ୟା କ୍ଷୟକ୍ଷତି ପାଇଁ ୩୦୪୮.୩୯ କୋଟି ଟଙ୍କା ତଥା ନାଗାଲାଣ୍ଡ୍‌କୁ ଭୂସ୍ଖଳନ ପାଇଁ ୧୩୧.୧୬ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଁ ଉଚ୍ଚ ସ୍ତରୀୟ କମିଟି ମଂଜୁରି ପ୍ରଦାନ କରିଛନ୍ତି । ହେଲେ ଓଡ଼ିଶା ସରକାର ୨୭୮୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ ହେଁ, ଟଙ୍କାଟିଏ ସହାୟତା ରାଶି ଘୋଷଣା କରାଯାଇନାହିଁ ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ, କେନ୍ଦ୍ର ଗୃହ ସଚିବ ରାଜୀବ ଗ୍ବାବା ଏବଂ କେନ୍ଦ୍ର ଗୃହ, ଅର୍ଥ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

 

ସୂଚନାନୁଯାୟୀ ଗତକାଲିର ଉଚ୍ଚ ସ୍ତରୀୟ କମିଟି ବୈଠକରେ କେବଳ ୩ଟି ରାଜ୍ୟର କ୍ଷୟକ୍ଷତି ନେଇ ସହାୟତା ରାଶି ନେଇ ଆଲୋଚନା ଓ ନିଷ୍ପତ୍ତି ହୋଇଛି । ଓଡ଼ିଶା ସମ୍ପର୍କରେ କୌଣସି ଆଲୋଚନା ବି ହୋଇନି । ଗତ ନଭେମ୍ବର ମାସରେ ଓଡ଼ିଶାରେ ବାତ୍ୟା ତିତିଲି ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର କ୍ଷୟକ୍ଷତି ଅନୁଧ୍ୟାନ ଓ ଆକଳନ ପାଇଁ କେନ୍ଦ୍ରର ଏକ ୭ ଜଣିଆ ଟିମ୍‌ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଏସ୍‌ କେ ସାହିଙ୍କ ନେତୃତ୍ବରେ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ।

ଓଡ଼ିଶା ପକ୍ଷରୁ ଏନ୍‌ଡିଆରଏଫ୍‌ରୁ ୧ ହଜାର କୋଟି ଟଙ୍କା ସହାୟତା ଲୋଡ଼ା ଯାଇଥିଲା ।  ଏହାବାଦ୍‌ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆକଳନ କରିଥିବା ୨୭୮୦ କୋଟି ଟଙ୍କାର ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଏସ୍‌ଡିଆରଏଫ୍‌ ପାଣ୍ଠିରୁ ୩୮୯.୨୫ କୋଟି ଟଙ୍କା ନ‌ଭେମ୍ବର ଦ୍ବିତୀୟ ସପ୍ତାହରେ ମଂଜୁରି କରିଥିବାବେଳେ ଏନ୍‌ଡିଆରଏଫ୍‌ ପାଣ୍ଠିରୁ ବର୍ତ୍ତମାନ ସୁଦ୍ଧା ଅର୍ଥ ମଂଜୁର କରାଯାଇନି ।