ମେଘାଳୟ ଖଣି ଦୁର୍ଘଟଣା: ଫଶିରହିଥିବା ଶ୍ରମିକମାନଙ୍କର ଉଦ୍ଧାର ପାଇଁ ମେଘାଳୟ ଅଭିମୁଖେ ବାହାରିଲା ଓଡିଶା ଅଗ୍ନିଶମ ବାହିନୀ

187

କନକ ବ୍ୟୁରୋ: ମେଘାଳୟ କୋଇଲା ଖଣିରେ ଦୀର୍ଘ ୧୫ ଦିନ ହେଲା ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜୋରଦାର ହୋଇଛି । ଉଦ୍ଧାର କାମରେ ସହାୟତା କରିବା ଲାଗି ଆଜି ଏକ ଦଳ ମେଘାଳୟ ଯାଇଛି । ଉଦ୍ଧାର କାମରେ ସହାୟତା କରିବା ଲାଗି ମେଘାଳୟ ସରକାର ରାଜ୍ୟକୁ ଅନୁରୋଧ କରିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ଟିମରେ ୨୧ ଜଣ ସାମିଲ ହୋଇଛନ୍ତି । ଡିସେମ୍ବର ୧୩ରେ ଏହି ଦୁର୍ଘଟଣା ହୋଇଥିଲା । ସହାୟତା ଲାଗି ମେଘାଳୟ ସରକରା ବିଭିନ୍ନ ରାଜ୍ୟକୁ ଅନୁରୋଧ କରିଥିଲେ ।

ବେଆଇନ୍ ଭାବେ ଚାଲୁଥିବା କୋଇଲା ଖଣି ଦୁର୍ଘଟଣାରେ ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ୧୫ ଜଣ ଶ୍ରମିକଙ୍କ ସନ୍ଧାନ ପାଇଁ ଆଜି ଓଡ଼ିଶାର ଅଗ୍ନିଶମ ବାହିନୀ ମେଘାଳୟ ଯାଉଛି । ଏକ ୨୧ ଜଣିଆ ଟିମ୍ ଉନ୍ନତ ଯନ୍ତ୍ରପାତି ଓ ୧୫ଟି ଉଚ୍ଚ ଚାପର ପମ୍ପ(ହାଇ ପ୍ରେସର ପମ୍ପ) ସହ ଉଦ୍ଧାର କାର‌୍ୟ୍ୟ ପାଇଁ ମେଘାଳୟ ଅଭିମୁଖେ ବାହାରିଛନ୍ତି। ଆଜି ସକାଳ ୮ଟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଟିମ୍ ମେଘାଳୟ ଅଭିମୁଖେ ବାହାରିଛନ୍ତି। ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଯାଉଥିବା ଏହି ଟିମରେ ସମସ୍ତ ବଛାବଛା ଦକ୍ଷ କର୍ମଚାରୀମାନଙ୍କୁ ସାମିଲ୍ କରାଯାଇଛି ବୋଲି ଫାୟାର୍ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ ଯେ, ଗତ ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତ ନିକଟ ସାଇପୁଙ୍ଗ୍ ଅଞ୍ଚଳର ସାନ୍ ରେ ଏହି ବେଆଇନ୍ କୋଇଲା ଖଣି ଚାଲୁଥିଲା। ୨୦୧୪ ମସିହାରୁ ନେସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ଦ୍ବାରା ବେଆଇନ ଘୋଷଣା ହୋଇଥିବା ସତ୍ବେ ଏହି ଖଣିକୁ ମାଲିକ ଚୋରାରେ ଚାଲୁ ରଖିଥିଲେ। ଗତ ୧୩ ତାରିଖରେ ହଠାତ୍ ଖଣି ଭୁଶୁଡ଼ି ପଡ଼ିବାରୁ ସଂଲଗ୍ନ ଲାଇଟେଇନ୍ ନଦୀର ଜଳ ଖଣି ଭିତରକୁ ପଶି ଯାଇଥିଲା। ଫଳରେ ଖଣି ଭିତରେ କାମ କରୁଥିବା ସମସ୍ତ ୧୫ ଜଣ ଶ୍ରମିକ ଭିତରେ ରହି ଯାଇଥିଲେ। ଖଣିର ଗଭୀରତା ପ୍ରାୟ ୩୫୦ ଫୁଟ୍ ଓ ଭିତରେ ପ୍ରାୟ ୭୦ ଫୁଟ୍ ପାଣି ରହିଛି ବୋଲି ଆକଳନ କରରାଯାଇଛି। ଖବର ପାଇ ରାଜ୍ୟ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଥିଲା।

କିନ୍ତୁ ଖଣି ଭିତରୁ ପାଣି ବାହାର କରିବାକୁ ଲାଗିଥିବା ମାତ୍ର ୨ଟି ପମ୍ପ ଅଚଳ ହୋଇପଡ଼ିବାରୁ ଉଦ୍ଧାର କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଗତ ଦୁଇ ଦିନ ହେଲା ଉଦ୍ଧାର କାର‌୍ୟ୍ୟ ବନ୍ଦ ରହିଛି। ତେଣୁ ମେଘାଳୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଟିମ୍ ଏହି ଉଦ୍ଧାର କାର‌୍ୟ୍ୟ ପାଇଁ ପ୍ରସ୍ତୁତ ହୋଇଛି। ଏ ଭିତରେ ୨ ସପ୍ତାହ ବିତି ସାରିଥିବାରୁ ଖଣି ଭିତରେ ଫସି ରହିଥିବା ଶ୍ରମିକ ଜୀବିତ ଥିବା ଅସମ୍ଭବ ମନେ ହେଉଛି। କିନ୍ତୁ ପାଣି ଉପରକୁ ମାତ୍ର ୩ଟି ହେଲମେଟ୍ ଆସିଥିବାବେଳେ କୌଣସି ମୃତ ଦେହ ଆସି ନଥିବାରୁ ସେମାନେ ଭିତରେ ବଞ୍ଚିଥିବା ଅନୁମାନ କରାଯାଉଛି।

Comments are closed.