ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କମିସନରେଟ ପୁଲିସର ବ୍ୟାପକ ବ୍ୟବସ୍ଥା ! ଦାୟିତ୍ୱରେ ରହିବେ ୩ଶହ ଅଫିସର, ୭୦ ପ୍ଲାଟୁନ ଫୋର୍ସ

38

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୁଲିସ । ମୋଦିଙ୍କ ଗସ୍ତ ସମୟରେ ଭୁବନେଶ୍ୱରରେ ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ । ଏହାସହ ସୁରକ୍ଷା ଦାୟିତ୍ୱରେ ରହିବେ ୩ଶହ ପୁଲିସ ଅଫିସର । ବ୍ଲୁ-ବୁକ୍ ଗାଇଡ ଲାଇନ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁଲିସ କମିସନର ୱାଇ.ବି ଖୁରାନିଆ । ବିଜେପି କାର୍ଯ୍ୟକାରିଣୀ ପାଇଁ ଓଡିଶା ଆସୁଛନ୍ତି ମୋଦି ।

ଏହି ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ଦୁଇ ଭାଗରେ ନିୟନ୍ତ୍ରଣ କରାଯିବ । ଗୋଟିଏ ବିମାନବନ୍ଦରରୁ ରାଜଭବନ ଓ ଅନ୍ୟଟି ରାଜଭବନରୁ ଜନତାମଇଦାନ ସଭାସ୍ଥଳ ଯିବେ ପ୍ରଧାନମନ୍ତ୍ରୀ । ସଭାସ୍ଥଳ ଓ ବିମାନବନ୍ଦର ସୁରକ୍ଷାଦାୟିତ୍ୱ ଆଇଜି ରାଙ୍କର ଅଫିସରଙ୍କୁ ଦିଆଯାଇଥିବା କହିଛନ୍ତି ପୁଲିସ କମିସନର । ଏହାସହ କାରକେଡ୍ ଦାୟିତ୍ୱରେ ଏସପି ରାଙ୍କର ଅଫିସର, ରୁଟ୍ ଲାଇନିଂରେ କମାଣ୍ଡାଂଟ ରହିବେ ।

କେବଳ ଟ୍ରାଫିକ ବ୍ୟବସ୍ଥା ନୁହେଁ ବିଭିନ୍ନ ହୋଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ପ୍ରଧାନମନ୍ତ୍ରୀ ରହିବା ପାଇଁ ରାଜଭବନରେ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ୩୬୪ ପ୍ରତିନିଧି ମଣ୍ଡିଳି ଓ ୧୩ ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିଜେପି କାର୍ଯ୍ୟକାରିଣୀରେ ସାମିଲ ହେବା ପାଇଁ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।