ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସୁରଟ୍ ଗସ୍ତ ନେଇ ବ୍ୟାପକ ଆୟୋଜନ: ଓଡ଼ିଆ ମହୋତ୍ସବରେ ହେବେ ସାମିଲ, ପ୍ରବାସୀ ଓଡିଆଙ୍କ ସହ ହେବେ କଥାବାର୍ତ୍ତା

194

କନକ ବ୍ୟୁରୋ: ଆଜି ଦିନିକିଆ ସୁରଟ୍ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରଟରେ ଆୟୋଜିତ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ସହ ସେଠି ଥିବା ଓଡ଼ିଆ ସଂପ୍ରଦାୟ ଲୋକଙ୍କୁ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସୁରଟରେ ବ୍ୟାପକ ପ୍ରସ୍ତତି କରାଯାଇଛି । ଓଡିଶା ମହୋତ୍ସବ ୨୦୧୮ ସଭାମଂଚକୁ ସୁନ୍ଦର ଭାବେ ସଜା ଯାଉଛି । ସଭା ଚାରିପଟେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସଂପର୍କରେ ଲେଖାଥିବା ହୋଡି ଲଗାଯାଇଛି ।

ସଭାକୁ ପ୍ରବେଶ ପଥରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯାଇଛି । ଏହାସହ ସୁରଟ ସହରର ବିଭିନ୍ନ ସ୍ଥାନରରେ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳୁଛି । ସୁରାଟ ସହରରେ ରହୁଥିବା ପ୍ରାୟ ୭ ଲକ୍ଷ ଓଡ଼ିଆ ଲୋକଙ୍କୁ ଉଦବୋଧନ ଦେବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରଟ୍ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ବିଜେଡିର କିଛି ଛାମୁଆ ନେତା ।