ଆଜିଯାଏଁ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଲାଗିପାରିନି ଓଡ଼ିଆ ନାମଫଳକ : ୧୫ଦିନ ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

31

କନକ ବ୍ୟୁରୋ : ଏପ୍ରିଲ୍‌ ୩, ୨୦୧୮,ସଚିବାଳୟରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ପ୍ରସଙ୍ଗ ଥିଲା ସରକାରୀ ଓ ବେସରକାରୀ ସଂସ୍ଥାରେ ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ନିଶ୍ଚିତ କରିବା । ସମସ୍ତ ସରକାରୀ କାର୍ଯ୍ୟାଳୟ, ନିଗମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁଦୃଶ୍ୟ ଓଡ଼ିଆ ନାମଫଳକ ଲଗାଇବାକୁ ଦୁଇ ମାସ ସମୟ ଦିଆଗଲା । ଏହା ମଧ୍ୟରେ ସାଢ଼େ ଚାରି ମାସରୁ ଅଧିକ ହେଲାଣି । ବହୁ ସରକାରୀ ସଂସ୍ଥା ଉନ୍ନୟନ କମିସନର୍‌ଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ । ରାଜ୍ୟର ଅନ୍ୟ ସ୍ଥାନ ତ ଦୂରର କଥା, ଖୋଦ୍‌ ରାଜଧାନୀରେ ବି ବହୁ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ନାମଫଳକ ଲାଗିପାରିଲାନି ।

ଗତକାଲି ପୁଣି ଥରେ ଉନ୍ନୟନ କମିସନର୍‌ ଏକ ବୈଠକ କରି ଓଡ଼ିଆ ନାମଫଳକ ପାଇଁ ତନାଘନା କଲେ । କେତେ ସରକାରୀ କାର୍ଯ୍ୟାଳୟ ପୁରୁଣା ନିର୍ଦ୍ଦେଶକୁ ମାନିଛନ୍ତି ଓ କେତେ ମାନି ନାହାନ୍ତି, ତାହାର ହିସାବ କରାଗଲାନି । କେବଳ ଆଉ ୧୫ ଦିନ ସମୟ ଦିଆଗଲା ଓଡ଼ିଆ ନାମଫଳକ ଲେଖିବାକୁ । ଆଉ ସାଧାରଣ ପ୍ରଶାସନ ବିଭାଗ ଏ ନେଇ ସବୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ କୁହାଗଲା । ଗତକାଲି ପୁଣି ୧୫ ଦିନ କଣ୍ଟ ଦିଆଗଲା ପରେ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏପ୍ରିଲ୍‌ ୩ ତାରିଖ ବୈଠକ ନିଷ୍ପତ୍ତିକୁ ସରକାରୀ ସଂସ୍ଥାଗୁଡ଼ିକ ମାନି ନାହାନ୍ତି । ପୂର୍ବରୁ ଥରେ ନିର୍ଦ୍ଦେଶ ମାନି ନ ଥିବା ସଂସ୍ଥା ଏବେ ପୁଣି ଯଦି ନ ମାନିବେ, ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାର କୌଣସି ଉତ୍ତର ଗଣମାଧ୍ୟମକୁ ଦିଆଯାଇ ନାହିଁ ।

ଗତକାଲିର ବୈଠକରେ ରାଜ୍ୟର ସହରାଞ୍ଚଳରେ ସବୁ ଦୋକାନ ଓ ବାଣିଜ୍ୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ଏହା କଡ଼ାକଡ଼ି ଯାଞ୍ଚ୍‌ କରାଯିବ ବୋଲି କୁହାଯାଇଛି । ସେହିପରି ବିଭିନ୍ନ ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଘରୋଇ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ ଓ ହୋଟେଲ୍‌ ଆଦି ୧୦୦ଟି ପ୍ରମୁଖ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଆ ଭାଷାରେ ନାମଫଳକ ଲେଖି ନ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌ ଓ ଶ୍ରମ କମିସନର୍‌ ଅଞ୍ଜନ ମାଣିକ ପ୍ରମୁଖ ଉପସ୍ଥିତ ଥିଲେ ।