୩୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡିଆ ଝିଅ ! ‘ମିସ୍ ଇଣ୍ଡିଆ ଆର୍ଟିଷ୍ଟ’ ପଦବୀ ଜିତି ରାଜ୍ୟ ପାଇଁ ଆଣିଲେ ଗୌରବ ।

33

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ । ନାରୀ ଚାହିଁଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ । ସେ କେବେ ହସିଥାଏ ଆଉ କେବେ କେବେ କାନ୍ଦିଥାଏ ମଧ୍ୟ । କିନ୍ତୁ ଏହି ହସ ଏବଂ କାନ୍ଦ ପଛରେ ଲୁଚି ରହିଥାଏ ନାରୀର ପ୍ରକୃତ ଚେହେରା । ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ମିଳିଥାଏ ଅନେକ ସଫଳତା । ଏବଂ ଏହାକୁ ସତ୍ୟତାରେ ପ୍ରତିପାଦନ କରିଛନ୍ତି ଓଡିଆ ଝିଅ ସନ୍ତୋଷୀ ଦାସ । ସର୍ବଭାରତୀୟ ସ୍ତରରେ ଜିଲ୍ଲା ତଥା ରାଜ୍ୟ ପାଇଁ ସାଉଁଟି ଆଣିଛନ୍ତି ଅନେକ ଗର୍ବ ଏବଂ ଗୌରବ ।

ମହିଳା ଦିବସ ଅବସରରେ ମୁମ୍ବାଇରେ ଏକ ସର୍ବଭାରତୀୟ କଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ଏହି ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ହୋଇଥିଲା । ପିପୁଲସ୍ ଆର୍ଟ ଫାଉଣ୍ଡେସନ ତରଫରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୩୦ ହଜାରରୁ ଅଧିକ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମେ ୧୫ ତାରିଖ ଠାରୁ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ୩୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ସନ୍ତୋଷୀ ହାସଲ କରିଥିଲେ ୨୦୧୮ର ମିସ୍ ଇଣ୍ଡିଆ ଆର୍ଟିଷ୍ଟ ପଦବୀ ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦ ବଜାର ଅଞ୍ଚଳର ଦିନାରୀ ଗାଁରେ ସନ୍ତୋଷୀଙ୍କର ଘର । ସନ୍ତୋଷୀ ଏବେ ଭଦ୍ରକ ଆର୍ଟ ଏବଂ କ୍ରାଫ୍ଟ କଲେଜର ତୃତୀୟ ବର୍ଷ ଛାତ୍ରୀ । ସନ୍ତୋଷୀଙ୍କ ଏଭଳି ସଫଳତା ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଭବିଷ୍ୟତରେ କଳାରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମହିଳାମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବେ ବୋଲି ସନ୍ତୋଷୀ କହିଛନ୍ତି ।